ପିଏମ୍ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବେ ଡୋମିନିକା ସରକାର, ପ୍ରଧାନମନ୍ତ୍ରୀଙ୍କୁ କହିଲେ ପ୍ରକୃତ ବନ୍ଧୁ
ଡୋମିନିକା ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡୋମିନିକା ସରକାର ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁୟାନାରେ ଆୟୋଜିତ ହେବାକୁ ଥିବା ଆଗାମୀ ଭାରତ-କ୍ୟାରିକୋମ୍ ସମ୍ମିଳନୀରେ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ଡୋମିନିକା ସରକାର ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି ସେଲବେନି ବର୍ଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଭାରତ, ଡୋମିନିକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇଟି କ୍ଷେତ୍ରରେ ମଧ୍ୟ ସହଯୋଗ କରୁଛି । ଡୋମିନିକାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବି ଭାରତ ସହଯୋଗ କରୁଛି ।