ମଦକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଣ୍ଡିଆରୁ ତିଆରି ହେବ…

0

ଭୁବନେଶ୍ୱର (ଆମ ଟିଭି): ମାଣ୍ଡିଆରୁ ଆଗକୁ ମଦ ପ୍ରସ୍ତୁତ ହେବ। ଏଥିଲାଗି ଯେଉଁ କମ୍ପାନୀଗୁଡ଼ିକ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ସରକାର ସବ୍‌ସିଡି ଯୋଗାଇଦେବେ। ମହୁଲ ଏବଂ ମାଣ୍ଡିଆରୁ ମଦ ପ୍ରସ୍ତୁତ କଲେ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ ଭଲ ବ୍ରାଣ୍ଡ୍‌ର ମଦ ପ୍ରସ୍ତୁତି କାରଖାନା ସମ୍ପର୍କରେ ଆଲୋଚନା କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ନୂଆ ଅବକାରୀ ନୀତି ନେଇ ଶୁକ୍ରବାର ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏକ ସ୍ବଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସମ୍ପୃକ୍ତ ଅଂଶୀଦାରମାନଙ୍କ ସମେତ ରାଜ୍ୟବାସୀ କିପରି ଉପକୃତ ହୋଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଅଂଶୀଦାରଙ୍କ ମତାମତ ସମ୍ପର୍କିତ ଆଲୋଚନା କରାଯାଇଛି। ଏହି ଅବସରରେ ବିଭାଗୀୟ କମିଶନର ଗୁହା ପୁନମ ତାପସ କୁମାର ଏବଂ ଅବକାରୀ କମିଶନର ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ କୌଣସି ନୀତି ପ୍ରଣୟନ ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଗଲେ ସମ୍ପୃକ୍ତ ଆଇନ ଗ୍ରହଣୀୟ ହୋଇଥାଏ ବୋଲି ମନ୍ତ୍ରୀ ହରିଚନ୍ଦନ କରିଛନ୍ତି। ବୈଠକ ପ୍ରାରମ୍ଭରେ ଶାସନ ସଚିବ ଅବକାରୀ ନୀତି ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିଥିଲେ। ଏହି ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌, ବ୍ୟବସ୍ଥାରେ ସ୍ବଚ୍ଛତା, ମିଲେଟ୍‌ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସମ୍ପର୍କରେ ଆଲୋଚନା ହୋଇଛି। ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିନିଧି, ହୋଟେଲ ଓ ରେସ୍ତେଁାରା ସଂଘର କର୍ମକର୍ତ୍ତା, ଲାଇସେନ୍ସପ୍ରାପ୍ତ ଖୁଚୁରା ବ୍ୟବସାୟୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କ ମତାମତ ଲୋଡ଼ାଯାଇଛି।

ସେହିଭଳି ରାଜ୍ୟରେ ମାଣ୍ଡିଆ, ଯଅ ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ବୈଠକରେ ଆଲୋଚନା ହୋଇଛି। ସେହିଭଳି ଜନଜାତି ବର୍ଗଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି କିଭଳି ଆବଶ୍ୟକ ଅର୍ଥ ପାଇପାରିବେ ସେନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯାଇଛି। ସମ୍ପୃକ୍ତ ବିଭାଗଗୁଡ଼ିକ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.