ଓଡ଼ିଆ ଫିଲ୍ମ “ଦମନ’ ଦେଖିବେ ସରକାରୀ ବାବୁ
ଭୁବନେଶ୍ୱର(ଆମ ଟିଭି): ସବୁଠି ଏବେ ଓଡ଼ିଆ ଫିଲ୍ମ ଦମନକୁ ନେଇ ଖୁବ ଚର୍ଚ୍ଚା । ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ଓଡିଆ ଫିଲ୍ମ ‘ଦମନ’ ଦେଖିବେ ସରକାରୀ ବାବୁ । ଏଥିପାଇଁ ଲୋକସେବା ଭବନରେ କନଭେନସନ୍ ହଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସନ୍ଧ୍ୟା ୫ଟାରୁ ସରକାରୀ ବାବୁମାନେ ଏହି ଫିଲ୍ମଟିକୁ ଦେଖିପାରିବେ । ଲୋକସେବା ଭବନର ସମସ୍ତ ବିଭାଗର ଯୁଗ୍ମ ଅଧିକାରୀ ପାହ୍ୟାରୁ ଉଦ୍ଧ୍ୱର୍ ଅଧିକାରୀ ଏହି ଫିଲ୍ମଟିକୁ ଦେଖିବାକୁ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଛି ।
ଓଡିଆ ଚଳଚ୍ଚିତ୍ର ଦମନ ରାଜ୍ୟର ବିଚ୍ଛିନ୍ନାଞ୍ଚଳ ମାଲକାନଗିରିର ଘନଅନ୍ଧାର ଭିତରେ ଆଶାର ସଞ୍ଚାର କରିଛି । ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଫିଲ୍ମର କଥାବସ୍ତୁ , ପ୍ରତିଟି ଚରିତ୍ରଙ୍କ ଅଭିନୟ ଓ ସମ୍ପାଦନ ଉଚ୍ଚକୋଟୀର ହୋଇଛି ବୋଲି ଦର୍ଶକ ମହଲରେ ବେଶ୍ ପ୍ରଶଂସା ସାଉଁଟିଛି । ଏହି ଫିଲ୍ମଟି ଜନସେବା କ୍ଷେତ୍ରରେ ପ୍ରେରଣା ଦେଉଛି । ଏହାର ଉପାଦେୟତା ଓ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ କରମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର ।