ରାଜ୍ୟପାଳଙ୍କ ବିରୋଧରେ ସରକାର, ଜାଣନ୍ତୁ କାହିଁକି
ଥିରୁଅନନ୍ତପୁରମ: ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ କେରଳରେ କ୍ଷମାସୀନ ବାମଦଳ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଏବେ ଆଉ ପାଦେ ଆଗେଇଛି। କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ ହସ୍ତକ୍ଷେପ କରୁଥିବାରୁ ତାଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର ।ବିଶେଷ କରି ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଜୟନ ସରକାର ଗୋଟିଏ ଅଧ୍ୟାଦେଶ ଆଣିବେ ।
ଆଜି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଏକ ଅଧ୍ୟାଦେଶ ଆସିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି କୁଳାଧିପତି ଭାବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସହମତି ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟପାଳ ଖାନ କୁଳାଧିପତି ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ୧୧ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ। କୁଳପତିମାନଙ୍କ ନିଯୁକ୍ତି ବେଆଇନ ଢଙ୍ଗରେ କରାଯାଇଥିବା ସେ ଦାବି କରି କାହିଁକି ସେମାନଙ୍କୁ ପଦଚ୍ୟୁତ ନ କରାଯିବ, ସେ ନେଇ ଜବାବ ଦେବାକୁ ରାଜ୍ୟପାଳ ନୋଟିସରେ କହିଥିଲେ।