ଖୁବ ଶିଘ୍ର ବ୍ରହ୍ମପୁରରେ ହେବ ଅଭିଯୋଗ ଶୁଣାଣୀ, ସ୍କୁଲ ଶତବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0

ବ୍ରହ୍ମପୁର (ଆମ ଟିଭି): ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧୀ ଧରି ସୀମାନ୍ତ ଅଂଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି।

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁ ଶିଷ୍ୟ ପଦ୍ଧତିରେ କେଉଁ ଆବାହମାନ ଯୁଗରୁ ରହିଆସିଛି। ବ୍ରିଟିଶ ସରକାର ଆସିବା ପରେ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା। ସେତେବେଳ ଶିକ୍ଷାର ସବୁଠାରୁ ବଡ ଉଦ୍ଦେଶ୍ୟ ଥିଲା, ବ୍ରିଟିଶ ସରକାରଙ୍କ ପାଇଁ କିରାଣୀ ଓ ଅଧିକାରୀ ପ୍ରସ୍ତୁତ କରିବା। ଜ୍ଞାନ ଆହରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା। ଏହି ଶିକ୍ଷା ପଦ୍ଧତି ସ୍ବାଧୀନତା ପରବର୍ତ୍ତୀ ସମୟରେ ବହୁ ବର୍ଷ ଧରି ଚାଲି ଆସିଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ପାଠ ପଢାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢି ସମାଜ ଗଠନର ଗୁରୁ ଦାୟିତ୍ବ ନ୍ୟସ୍ତ କରିବା। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ମୋଦୀଜୀଙ୍କ ଦିଗ୍‌ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ପ୍ରଣୟନ ହୋଇଥିଲା । ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷା ନୀତିକୁ ୫ ବର୍ଷ ଧରି ଲାଗୁ କରାଯାଇ ନ ଥିଲା। ଆଜି ଆମ ସରକାର ଆସିବା ପରେ, ଏହା ଲାଗୁ କରାଯାଇଛି । ଏହାଦ୍ବାରା ନିଶ୍ଚିତଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ।

ସେ ପୁଣି କହିଥିଲେ ଯେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍‌-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବାଟିକା ଆରମ୍ଭ କରିଛୁ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ନିପୁଣ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତଭାବେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ।

ସେ ଆହୁରି କହିଥିଲେ ପୂର୍ବ ସରକାରଙ୍କ 5T ସ୍କୁଲ ଏକ ପ୍ରହସନ ଥିଲା। ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ କରି ଡିଜିଟାଲ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା। ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

Leave A Reply

Your email address will not be published.