ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲିଠୁ ପୁଣି ରାଜଧାରନୀର ରାଜରାସ୍ତାରେ ଗର୍ଜନ କରିବେ ଡ୍ରାଇଭର ମହାସଂଘ । ଆଜି ଏପରି ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ୫ ସଂଘ । ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ଭୁବନେଶ୍ବରରେ କୌଣସି ବିରୋଧ କାର୍ୟ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି।
ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀମାନେ ତାଙ୍କ ମୁତାବକ ଧାରଣା ଦେବେ। ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୁଲିସକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ବୋଲି କୁହାଯାଇଛି। ଭୁବନେଶ୍ବରରେ କେବଳ ସ୍ତିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ । ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ସଂଘ କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ବୋଲି କହିଛି ମହାସଂଘ ।
ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ଗାଡ଼ି ଚଳାଚଳ ନେଇ ସନ୍ଦେହ ଜାତ ହୋଇଥିଲା। ଗାଡ଼ି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ ନିଆଯିବ କାର୍ୟ୍ୟାନୁଷ୍ଠାନ। ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିସନରେଟ ପୁଲିସ ସଜାଗ ରହିଛି। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ।