ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ଏବେ ଧୀରେ ଧୀରେ ଦେଶରେ ତଳିତଳାନ୍ତ ହେବାକୁ ଯାଉଛି । ବହୁ ବରିଷ୍ଠ ନେତା ଦଳ ଛାଡ଼ି ଦେଉଛନ୍ତି । ଏହାରି ଭିତରେ ହିମାଚଳ ପ୍ରଦେଶ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ହର୍ଷ ମହାଜନ ପାର୍ଟି ଛାଡିବା ପରେ ରାଜ୍ୟରେ ଦଳ ବ୍ୟାକ ଫୁଟକୁ ଆସିଛି । ଗୋଟିଏ ପଟେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ବିଜେପିର ମିଶନ ରିପିଟକୁ ବଳ ମିଳିଛି । ହର୍ଷଙ୍କ କଂଗ୍ରେସ ଛାଡିବା ଉପରେ ପିସିସି ଅଧ୍ୟକ୍ଷ ପ୍ରତିଭା ସିଂ କଡା ପ୍ରତିକ୍ରିୟା ରଖିଛନ୍ତି । ହର୍ଷ ପୀଠିରେ ଛୁରୀ ଭୁସିଛନ୍ତି ଏବଂ ଏଥିପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି ।
ପ୍ରତିଭା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂ ତାଙ୍କ ସମ୍ମାନରେ କୌଣସି ଅବହେଳା କରି ନଥିଲେ। ଦିଲ୍ଲୀ ପରି ପ୍ରଦେଶ କଂଗ୍ରେସ ପାର୍ଟିରେ ମାଆ-ପୁଅଙ୍କ ରାଜ ଚାଲୁଥିବା ଆଜି ହର୍ଷ କହିଛନ୍ତି, ଏହା ଅତି ଦାୟିତ୍ୱହୀନ ଏବଂ ଅପମାନଜନକ ମନ୍ତବ୍ୟ। ପ୍ରତିଭା ସିଂ କହିଛନ୍ତି, କଂଗ୍ରେସ ସବୁବେଳେ ତାଙ୍କୁ ନିର୍ବାଚନ ଲଢିବା ପାଇଁ କହିଥିଲା, କିନ୍ତୁ ସେ ନିର୍ବାଚନ ଲଢୁ ନଥିଲେ।