ହିଂସା ରୋକିବା ପାଇଁ ହରିଆଣା ସରକାର ବଡ ନିଷ୍ପତ୍ତି

0

ହରିଆଣାର ଗୋଷ୍ଠୀ ସଙ୍ଘର୍ଷ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସାର ରୂପ ନେଉଛି। ଆଖପାଖ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନକୁ ମଧ୍ୟ ଅଶାନ୍ତି ବ୍ୟାପୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିଆଣା ସରକାର। ରାଜ୍ୟର ନୁହ ସମେତ ଅନ୍ୟ କେତେକ ସ୍ଥାନରେ ଇଣ୍ଟରନେଟ୍ ଏବଂ SMS ସେବାକୁ ଅଗଷ୍ଟ 5 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନୁହ ବ୍ୟତୀତ ଏହି ସେବାଗୁଡିକ ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମ ଜିଲ୍ଲାର ସୋହନା, ପାଟୌଦି ଏବଂ ମାନ୍ସେର ସବ୍-ଡିଭିଜନରେ ବନ୍ଦ ରହିବ ।

ସୋମବାର(ଜୁଲାଇ 31)ରେ ଏକ ଧାର୍ମିକ ଶୋଭାଯାତ୍ରାକୁ ପଥର ମାଡ କରାଯିବା ପରେ ଏହି ହିଂସାକାଣ୍ଡ ହୋଇଥିଲା। ଏହାପରେ ରାଜ୍ୟର ବ୍ୟାପକ ସ୍ଥାନରେ ପୋଡାଜଳା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସୋମବାର ଅପରାହ୍ନ 4 ଟାରୁ ହିଁ ନୁହ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବାକୁ ସ୍ଥଗିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ପରେ “ତୀବ୍ର ସାମ୍ପ୍ରଦାୟିକ ଉତ୍ତେଜନା” ତଥା ଜନସାଧାରଣଙ୍କ ଶାନ୍ତି ଭଙ୍ଗକୁ ଦୃଷ୍ଟିରେ ରଖି ଅଗଷ୍ଟ 2 ପର୍ଯ୍ୟନ୍ତ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ହିଂସା ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା। ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବିକ୍ଷୋଭ ନେଇ ସଜବାଜ ହେଉଥିଲେ। ଶୋଭାଯାତ୍ରାକୁ ତୁରନ୍ତ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ ହୋଇଥିଲା। ଏକ ଖଣ୍ଡପୀଠ ଆବେଦନର ଜରୁରୀ ଶୁଣାଣି କରି ଘୃଣା ଭାଷଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ରାଲିକୁ ଅନୁମତି ଦେଇଥିଲେ ମଧ୍ୟ ଏହି ସମୟର ଭିଡିଓ ରେକର୍ଡ କରିବାକୁ କହିଥିଲେ ଏବଂ ରାଲିରେ ଯେପରି କୌଣସି ଅପ୍ରୀତିକର ଶବ୍ଦ ପ୍ରୟୋଗ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ

 

Leave A Reply

Your email address will not be published.