୪ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପାଲଟିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପବନ ବହିବ ଓ ପ୍ରବଳ ବର୍ଷା ହେବ। ଡିସେମ୍ବର ୫ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହା ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୪ ତାରିଖ ପୂର୍ବାହ୍ନ ସୁଦ୍ଧା ଗଭୀର ଅବପାତ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଯାଇଥିବ। ତା’ପରେ ଏହା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ରୂପ ନେଇ ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ପବନ ଝଟକା ସହିତ ଆସିବ। ଡିସେମ୍ବର ୫ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବ।

ଗଭୀର ଅବପାତ ଓ ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ପୂର୍ବ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

 

Leave A Reply

Your email address will not be published.