୨୪ ଓ ୨୫ରେ ପ୍ରବଳ ବର୍ଷା!
ଭୁବନେଶ୍ୱର (ଆମ ଟିଭି): ଦଶହରା ବର୍ଷାରେ ଭିଜିଲା । ଲଧ୍ମୀପୂଜା ମଧ୍ୟ ବର୍ଷାରେ ଭିଜିଲା । ଆଗକୁ ଆସୁଛି ଦୀପାବଳୀ । ଦୀପାଳବୀରେ ମଧ୍ୟ ବର୍ଷା ହେବା ବୋଲି ଆକଳନ କରାଯାଉଛି । ଯାହା ଲୋକଙ୍କ ଚିନ୍ତାରେ ପକାଇଛି । ପ୍ରାକ୍ ଆକଳନ ଯାହା, ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଅର୍ଥାତ୍ ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ହେଲେ ଦୁଇବର୍ଷ ପରେ ଦୀପାବଳିକୁ ଆଡ଼ମ୍ବରେ ପାଳନ ପାଇଁ ଲୋକେ ବାନ୍ଧିଥିବା ଆଶା ବି ବତୁରିଯିବ ବର୍ଷାରେ । ବର୍ଷା ଲାଗି ରହିଲେ ନା ଦୀପ ଜଳିବ ନା ଜମିବ ଆତସବାଜି । ଏହା କେବଳ ପ୍ରାକ୍ ଆକଳନ, ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ପୂର୍ବାନୁମାନ କରୁଛନ୍ତି ।
ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରିବା ସହ ୨୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇପାରେ । ଏ ସମ୍ପର୍କରେ ଏବେଠାରୁ ଭାରତୀୟ ପାଣିପାଗ ବିଭାଗ ଅଧିକ କିଛି ସ୍ପଷ୍ଟ କରିନାହିଁ । ତେବେ ଆସନ୍ତା ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
୨୪ ଓ ୨୫ ତାରିଖ ଦୁଇଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରୁ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି । ଯଦି ଏମିତି ହୁଏ, ତେବେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ୨୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ।