ଭୁବନେଶ୍ୱର (ଆମ ଟିଭି): ପୁଣି ଆସୁଛି ବଡ଼ ବର୍ଷା । ରାଜ୍ୟରେ ପ୍ରବଳ ବର୍ଷିବା ନେଇ ଖବର ସାମ୍ନାକୁ ଆସିଛି । କାରଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ । ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, ୪ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ, ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି। ଆଦ୍ରତା ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୮୦% କମ୍ ।