ଭୁବନେଶ୍ୱର (ଆମ ଟିଭି): ଏଥର ଧୋଇଯିବ ଦଶହରା l ୧ ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷିବ l ଏଭଳି ଅନୁମାନ କରିଛି ପାଣିପାଗକେନ୍ଦ୍ର । ତେବେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ହିଁ ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଂଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ ରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ଆଗାମୀ ୨୪ ଘଂଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା କୁ ହଳଦିଆ ଚେତନାନି ଜାରି ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର ବରଗଡ଼ ବଲାଙ୍ଗୀର ନୂଆପଡା ନବରଙ୍ଗପୁର ଓ ମାଲକାନଗିରି ଏହି ୧୦ ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ବିଭାଗ। ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି ନୟାଗଡ ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡା କଟକ ଯାଜପୁର ଭଦ୍ରକ ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।
ବର୍ଷା ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଯାଏ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ର କିଛି କିଛି ସ୍ଥାନରେ ବର୍ଷା ସହ କୌଣସି ବର୍ଣ୍ଣିଙ୍ଗ ନଥିବା ବେଳେ ଲଘୁଚାପ ପ୍ରଭାବରେ ପୁଣି ୧ ରୁ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ୨୪ ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର ସାଲେଭତାରେ ସର୍ବାଧିକ ୧୨୩.୨ ବର୍ଷା ରେକର୍ଡ ହୋଇଛି।