ରାଗିଂମୁକ୍ତ ହେବ ଶିକ୍ଷାନୁଷ୍ଠାନ, ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର (ଆମ ଟିଭି): ଏଣିକି ରାଗିଂମୁକ୍ତ ହେବ ଶିକ୍ଷାନୁଷ୍ଠାନ। ଏନେଇ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କଲା ଉଚ୍ଚଶିକ୍ଷା ବିଭାଗ। ରାଗିଂ ରୋକିବାକୁ ଛାତ୍ରଛାତ୍ରୀ ଏକ ଅଣ୍ଡରଟେକିଂ ଲେଖିବେ । କଲେଜ କର୍ତ୍ତୁପକ୍ଷଙ୍କୁ ଏକ ଅଣ୍ଡରଟେକିଂ ଲେଖି ପିଲାମାନେ ଦେବେ। ତେବେ ଖାଲି ସେତିକି ନୁହେଁ , ଶିକ୍ଷାନୁଷ୍ଠାନଗୁଡିକରେ ରାଗିଂ ବିରୋଧରେ ପ୍ରଚାରପତ୍ର ବଣ୍ଟାଯିବ। ତା ସହିତ ଏଥର ହେଲପଲାଇନ୍ ନମ୍ବର ମଧ୍ୟ ରହିବ । ଆଣ୍ଟିଂ ରାଗିଂ ସଚେତନତା କାର୍ଯ୍ୟକ୍ରମ କରାଯିବ । ୩ରୁ ୪ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କେହି ଖିଲାପ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାରୁ ପ୍ରକାଶ, ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ରାଜ୍ୟର ପ୍ରତିଷ୍ଠିତ ମହାବିଦ୍ୟାଳୟ ବିଜେବି ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଏହି ଖବର ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। କେବଳ ବିଜେବି ନୁହେଁ, ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ଆସିଥିଲା ରାଗିଂ ଅଭିଯୋଗ। ଏହାକୁ ନେଇ ଅଭିଭାବକ, ଛାତ୍ର ନେତା ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏପରିକି କଂଗ୍ରେସ ଓ ବିଜେପି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲେ।