ଭୁବନେଶ୍ବର(ଆମ ଟିଭି): ପୁଣି ଓଡ଼ିଶାରେ ହେବ ହକି ବିଶ୍ୱକପ୍। ହକି ବିଶ୍ୱକପ୍ ପାଇଁ ଚାଲିଛି ଜୋର୍ ସୋର୍ ରେ ପ୍ରସ୍ତୁତି। ହକି ବିଶ୍ବକପକୁ ସଫଳ କରିବା ପାଇଁ ସମସ୍ତ ବିଭାଗକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ୨୦୧୮ ପରେ ଦ୍ବିତୀୟ ଥର ଲାଗି ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି ରାଜ୍ୟ । ବିଶ୍ବକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ୨୦୧୮ ଅପେକ୍ଷା ୨୦୨୩କୁ କିଭଳି ଅଧିକ ଆକର୍ଷଣୀୟ ଓ ସଫଳ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ସରକାର ।
ଏଥିପାଇଁ କିଛି ପ୍ରମୁଖ କ୍ଷେତ୍ରକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରାଯାଉଛି। ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ବେଞ୍ଚମାର୍କ ପ୍ରତିଷ୍ଠା କରିଛି ଓଡିଶା । ଆଗାମୀ ବିଶ୍ବକପରେ କେବଳ ଓଡ଼ିଶାର ଦକ୍ଷତା ନୁହେଁ, କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ କିପରି ପ୍ରଦର୍ଶନ କରାଯିବ ସେନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ବିଭାଗ ଏକାଠି ହୋଇ ଖେଳାଳି ଓ ପ୍ରଶଂସକଙ୍କ ମନରେ ଅଭୁଲା ସ୍ମୃତି ଛାଡ଼ିବା ପାଇଁ କାର୍ଯ୍ୟ କରିବାକୁ ଦିଆଯାଇଛି ଆହ୍ବାନ । ରାଉରକେଲାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ।