ଭୁବନେଶ୍ୱର (ଆମ ଟିଭି): ଆଜି ଭୁବନେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ଥିବା ଏକ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳୁଛି ବାର୍ ଓ ଚାରିଆଡ଼େ ଧୂଆଁମୟ ପରିବେଶ ଦେଖା ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହା ସହ ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ନିଆଁ ବ୍ୟାପିଥିବା ଜଣାପଡ଼ିଛି। ଯାହା ଫଳରେ କ୍ଷୟକ୍ଷତିର ପରିମାଣ ବୃଦ୍ଧି ପାଇଛି।ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।
ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ଏବଂ ଏହାକୁ ଅଧିକ ପ୍ରତିଷ୍ଠାନକୁ ବ୍ୟାପିବାରୁ ରୋକିଛନ୍ତି। ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ପ୍ରକାଶ ପାଇନାହିଁ। ବିଦ୍ୟୁତ୍ ସର୍ଟସର୍କିଟ୍, ରୋଷେଇ ଘରର ତ୍ରୁଟି କିମ୍ବା ଅନ୍ୟ କୌଣସି ସମ୍ଭାବ୍ୟ ଉତ୍ସ ଯୋଗୁଁ ଏହି ଘଟଣା ଘଟିଛି କି ନାହିଁ ତାହା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି।