ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ଓ ଇନର ହ୍ୱିଲ୍ ଡିଷ୍ଟ୍ରିକ୍ଟ ୩୨୬ଙ୍କ ମିଳିତ ଆୟୋଜନରେ କ୍ୟାନ୍ସର ସଚେତନତା ପାଇଁ ଏକ ବିଶାଳ ମହିଳା କାର ରାଲି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା। ଏହି ରାଲି କ୍ଲବ ପଡିଆ ଗ୍ରାଉଣ୍ଡରୁ ଆରମ୍ଭ ହୋଇ କିଟ୍, ଇନଫୋସିଟି ଛକ, ଉତ୍କଳ ହସ୍ପିଟାଲ, ଜାଭିଅର ଛକ ଓ ଦମଣା ଛକଦେଇ ପୁନର୍ବାର କ୍ଲବ ପଡିଆ ଗ୍ରାଉଣ୍ଡରେ ଶେଷ ହୋଇଥିଲା। ଏହି କାର ରାଲିକୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟେରିଆନ୍ ମନୋଜ କୁମାର ତ୍ରିପାଠୀ, ଇନର ହ୍ୱିଲ୍ ଚେୟାରମ୍ୟାନ୍ ମଧୁସ୍ମିତା ତ୍ରିପାଠୀ ଏବଂ ଇଣ୍ଡିଆନ୍ ଅଏଲ୍ ଓଡିଶାର ଡିଭିଜନାଲ୍ ମ୍ୟାନେଜର (ରିଟେଲ୍ ହେଡ୍) ଶ୍ରୀ ଗର୍ଗ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ର ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ଡା. ରୋଜାଲିନ ପଟ୍ଟଶାଣି ଅଂଶଗ୍ରହଣକାରୀମାନଙ୍କୁ ପାର୍ଟିସିପେସନ୍ ସାର୍ଟିଫିକେଟ୍ ଏବଂ କ୍ୟାନ୍ସର ସଚେତନତା ବାର୍ତ୍ତା ପାଇଁ ପୁରସ୍କାର ବଣ୍ଟନ କରିଥିଲେ। ଏହି ଅବସରରେ ଡା. ସଞ୍ଜୟ ମିଶ୍ର କ୍ୟାନ୍ସର ସମ୍ପର୍କିତ ସଚେତନତା ବିଷୟରେ ଉଦବୋଧନ ଦେଇ କହିଥିଲେ ଯେ ଯଦି କ୍ୟାନ୍ସରର ପ୍ରାରମ୍ଭିକ ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସଫଳ ଭାବେ ସମ୍ଭବ।
ଏହି କାର୍ଯ୍ୟକ୍ରମଟି ରୋଟାରୀ କ୍ଲବ ଭୁବନେଶ୍ୱର ନୀଳାଦ୍ରି ଦ୍ୱାରା ଆୟୋଜିତ ହୋଇଥିଲା। କ୍ଲବ ସଭାପତି ରୋଟେରିଆନ୍ ସୁଜିତ ରାଉତଙ୍କ ନେତୃତ୍ୱରେ କାର ରାଲି ଚେୟାରମ୍ୟାନ୍ ଡା. ନମ୍ରତା ଚାଲ, କ୍ଲବ ସେକ୍ରେଟାରୀ ରାକେଶ ଦଳେଇ, ପ୍ରେସିଡେଣ୍ଟ ଇଲେକ୍ଟ ଅଭିଷେକ ମିତ୍ର, ଡିଏସଜି ସୁରେଶ ସାହୁ ଏବଂ ଡିଟି ସୁଭ୍ରାଂଶୁ ତ୍ରିପାଠୀ ଏହି ରାଲିକୁ ସଫଳତାର ସହ ଆୟୋଜନ କରିଥିଲେ। ଏହି ମହିଳା କାର ରାଲିରେ ପ୍ରାୟ ୧୦୦ଟି କାରରେ ମହିଳାମାନେ ଅଂଶଗ୍ରହଣ କରି କ୍ୟାନ୍ସର ସଚେତନତାର ସନ୍ଦେଶ ସମାଜକୁ ପହଞ୍ଚାଇଥିଲେ।