ମନ୍ତ୍ରୀ ଅତନୁଙ୍କୁ ଘେରିଲେ ଶତାଧିକ ମହିଳା: ଜମ୍ବୁ ଘାଟରେ ମନ୍ତ୍ରୀଙ୍କୁ ବିରୋଧ

0

ମହାକାଳପଡ଼ା (ଆମ ଟିଭି): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କିଛି ଦିନ ତଳେ ଜମ୍ବୁ ପଞ୍ଚାୟତରେ ଘଟିଥିବା ଏକ ଘଟଣାକୁ ନେଇ ଶତାଧିକ ମହିଳା ମାନେ ମନ୍ତ୍ରଙ୍କୁ ଦାବୀ ପତ୍ର ଦେବାକୁ ଆସିଥିବା ବେଳେ ମନ୍ତ୍ରୀଙ୍କ ସମର୍ଥକ ଙ୍କ ସହ ବଚସା ହୋଇଥିଲା, ଯେଉଁଥିପାଇଁ ମହିଳା ମାନେ ମନ୍ତ୍ରୀଙ୍କ ଗାଡିକୁ ଘେରି ରହି ବିକ୍ଷୋଭ କରିଥିଲେ ।

ଘଟଣା ଅନୁଯାୟୀ, ଗତ ୧୧ ତାରିଖରେ ଜମ୍ୱୁ ଥାନା ଅଞ୍ଚଳର ରାମକୃଷ୍ଣ ମଣ୍ଡଳଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଗାଁ ଲୋକେ ମୃତଦେହ ସଂସ୍କାର ନକରି ୩ ଦିନ ଧରି ପ୍ରତିବାଦ କରିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଗାଁ ଲୋକଙ୍କୁ ବୁଝାସୁଝା କରି ମୃତଦେହ ସଂସ୍କାର କରିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଧମକ୍ଚମକ୍ ଦେଉଥିବା ଗାଁ ଲୋକେ ଅଭିଯୋଗ କରିଥିଲେ।

ଜମ୍ୱୁ ଥାନାର ପୁଲିସ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣି ଆଜି ଶତାଧିକ ମହିଳା ଦାବିପତ୍ର ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଖରେ ଗୁହାରୀ କରିବା ପାଇଁ ଆସିଥିଲେ। ହେଲେ ସ୍ଥାନୀୟ ଜନ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ଭେଟିବା ପାଇଁ ମହିଳାଙ୍କୁ ଛାଡ଼ି ନଥିଲେ। ଯେଉଁଥିପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲେ। ମନ୍ତ୍ରୀଙ୍କ ସମ୍ମୁଖରେ ଏପରି ଘଟଣା ଘଟୁଥିଲେ ମଧ୍ୟ ସେ ଚୁପ୍ ରହିଥିଲେ। କିଛି ଉପାୟ ନପାଇ ମହିଳାମାନେ ଜମ୍ୱୁଘାଟ ନିକଟରେ ମନ୍ତ୍ରୀଙ୍କ କାର୍କୁ ଅଟକାଇ ଦେଇଥିଲେ। ମହିଳାମାନେ ୧୫ରୁ ୨୦ ମିନିଟ୍ ଧରି ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଦେଇଥିଲେ। ହେଲେ ମନ୍ତ୍ରୀ ମହାଶୟ ମହିଳାଙ୍କ ଗୁହାରୀ ଶୁଣିବା ପାଇଁ ଗାଡିରୁ ଓହ୍ଲାଇ ନଥିଲେ। କିଛି ସମୟ ପରେ ପୁଲିସ୍ କଡ଼ା ସୁରକ୍ଷା ବଳୟ ଭିତରେ ବାଇକ୍ରେ ମନ୍ତ୍ରୀଙ୍କୁ ଧରି ପଳାଇ ଯାଇଥିଲା।

Leave A Reply

Your email address will not be published.