ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଏବେ ଗୁଜୁରାଟ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ଗୁଜୁରାଟ ଆସନ ହାତେଇବା ପାଇଁ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବାରୁ ବିଜେପି ପାଇଁ ଏଠାରେ ପୁଣି ସରକାରକୁ ଫେରିବା ସମ୍ମାନର ପ୍ରଶ୍ନ , ସେପଟେ ଗତ ବିଧାନସଭା ନିର୍ବାଚନରେ ସରକାର ଗଠନ କରିବାକୁ ବହୁମତରୁ ଅଳ୍ପ ଦୂରରେ ଅଟକି ଯାଇଥିବା କଂଗ୍ରେସ ଏଥର ମଇଦାନରେ ଖେଳିବା ପରିବର୍ତ୍ତେ ଦର୍ଶକ ଭଳି ରହିଯାଇଛି । ଏହାରି ମଧ୍ୟରେ ଦିଲ୍ଲୀ ଓ ପଞ୍ଜାବ ଦଖଲ କରିସାରିବା ପରେ ଆମ୍ ଆଦମୀ ପାର୍ଟି ଏଥର ଗୁଜରାଟକୁ ପୁରା ଫୋକସ କରିଛି । ଏନେଇ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟି ନିଜର କଳ, ବଳ କୌଶଳ ସବୁ ଗୁଜରାଟରେ ଲଗେଇ ଦେଇଛନ୍ତି । ହେଲେ ସବୁଠାରୁ ବଡକଥା କି ଗୁଜରାଟ ନିର୍ବାଚନର ମଙ୍ଗ ଧରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ନିର୍ବାଚନ ପୂର୍ବରୁ ଯେଭଳି ଭବିଷ୍ୟବାଣୀ କରିଥିଲେ ଠିକ୍ ସେହିଭଳି ଗୁଜରାଟର ପ୍ରଥମ ପର୍ୟ୍ୟାୟ ଭୋଟ ପୂର୍ବରୁ ଭବିଷ୍ୟବାଣୀ କରିବା ସହ ଏକ କାଗଜରେ ଲେଖିଛନ୍ତି କି ଏଥର ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।
ଆଜି (ରବିବାର) ଏକ ନିର୍ବାଚନୀ ପ୍ରଚାର କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମ ଆଗରେ କେଜ୍ରିୱାଲ ଏଭଳି ଲେଖିକି ଦେବା ସହ କହିଥିଲେ କି ଦୀର୍ଘ ୨୭ ବର୍ଷ ପରେ ଗୁଜରାଟରେ ବିଜେପି ଅଣନିଶ୍ୱାସୀ ହୋଇଯାଇଛି । ଏହାସହ ସେ କହିଛନ୍ତି କି ଦୀର୍ଘ ୨୭ ବର୍ଷରୁ କୁଶାସନରୁ ଏଥର ଗୁଜରାଟବାସୀ ମୁକ୍ତ ହେବାକୁ ଯାଉଛନ୍ତି ।