ପ୍ରକାଶ ପାଇଲା ଆଇସିଏସ୍ଇ ରେଜଲ୍ଟ: ଋଷି ସାଗର ସତପଥୀ ଓଡ଼ିଶା ଟପ୍ପର
କଟକ: କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମିନେସନସ୍ ( ସିଆଇଏସସିଇ) ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାରୁ ଋଷି ସାଗର ସତପଥୀ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। କଟକସ୍ଥିତ ଡିଏଭିଏସ୍ସିବି ମେଡିକାଲ ପବ୍ଳିକ ସ୍କୁଲର ଛାତ୍ର ଋଷିଙ୍କୁ ୯୯.୨ ପ୍ରତିଶତ ମାର୍କ ମିଳିଛି, ଯାହାକୁ ନେଇ ପରିବାର ଓ ସ୍କୁଲରେ ଖେଳିଯାଇଛି ଖୁସିର ଲହରୀ ।
ସୂଚନାଯୋଗ୍ୟ, ସିଆଇଏସସିଇ ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ଜାରି କରିଛି। ଯେଉଁମାନେ ଆଇସିଏସଇ ଦଶମ ପରୀକ୍ଷା ଦେଇଥିଲେ ସେମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.orgକୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ଦେବାକୁ ହେବ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପରୀକ୍ଷାରେ ଭଲ ମାର୍କ ରଖିଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ପାସ୍ ହାର ୯୯.୯୮ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୯୭%। cisce.org ବ୍ୟତୀତ results.cisce.org, results.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ପରୀକ୍ଷାର ଫଳାଫଳ ପାଇପାରିବେ।