ଦିଲ୍ଲୀ ଗଲେ ତାରା, ଜାଣନ୍ତୁ କାହିଁକି
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଦା କରି ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି ମିଳିବା ପରେ କୋରାପୁଟରେ କଂଗ୍ରେସ କନ୍ଦଳ ବଢ଼ିବାରେ ଲାଗିଛି । ତାରା ନିଜର ପ୍ରାୟ ୧୦୦ରୁ ଅଧିକ ସମର୍ଥକଙ୍କ ସହ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ପତ୍ନୀ ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯିବାକୁ ତାରା ଓ ତାଙ୍କ ସମର୍ଥକମାନେ ସହଜରେ ହଜମ କରିପାରିନାହାନ୍ତି ।
ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ସଭାପତି ଭାବେ ଗତ ୫ଦିନ ପୂର୍ବରୁ ଦୁର୍ଗାଶଙ୍କର ସାହୁଙ୍କୁ ନିଯୁକ୍ତି ମିଳିଛି । ୨୦୦୯ ମସିହାରୁ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଥିବା ମିନାକ୍ଷୀ ବାହିନୀପତିଙ୍କୁ ଗତ ମାସରେ ପିସିସି ସାଧାରଣ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଜିଲ୍ଲା ସଭାପତି ପଦ ଛାଡ଼ିବାକୁ ମିନାକ୍ଷୀ ଓ ତାରା ଚାହୁଁନଥିବାରୁ ତାରା ନିଜର ସମର୍ଥକଙ୍କ ସହ ଭୁବନେଶ୍ୱରର କଂଗ୍ରେସ ଭବନକୁ ଆସି ଶକ୍ତି ପ୍ରଦର୍ଶନ କରିଥିଲେ । ଏହାର କିଛିଦିନ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ନିଜର କିଛି ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସି ଶକ୍ତି ଦେଖାଇଥିଲେ । ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ବିଧାୟକ ଶ୍ରୀ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମୁହାଁମୁହିଁ ହୋଇଥିବାବେଳେ ଗତ ୫ଦିନ ତଳେ ସାଂସଦ ଶ୍ରୀ ଉଲାକାଙ୍କ ସମର୍ଥକ ଶ୍ରୀ ସାହୁଙ୍କୁ ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଯାହାକୁ ତାରାଙ୍କ ସମର୍ଥକମାନେ ଖୋଲାଖୋଲି ବିରୋଧ କରିଛନ୍ତି । ତେବେ ଏହି ନିଯୁକ୍ତିକୁ ନେଇ ନିରବ ଥିବା ତାରା ଦିଲ୍ଲୀ ଯାଇ ଏଆଇସିସି କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀଙ୍କ ସମେତ ୧୦୦ରୁ ଅଧିକ କଂଗ୍ରେସ ନେତା ଓ କର୍ମୀ ବିଶାଖାପାଟଣା ଓ ରାୟଗଡ଼ାରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଏଆଇସିସିର ବରିଷ୍ଠ ନେତାମାନଙ୍କୁ ଭେଟି କୋରାପୁଟ କଂଗ୍ରେସରେ ଚାଲିଥିବା କନ୍ଦଳ ଓ ସାଂସଦ ଶ୍ରୀ ଉଲାକାଙ୍କ ବିରୁଦ୍ଧରେ ଫେରାଦ ହେବେ ବୋଲି ଜଣାପଡ଼ିଛି ।