ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଏଣିକି ପିଲାଙ୍କ ସାଙ୍ଗିଆ ସ୍ଥିର କରିପାରିବେ ମା’
ନୂଆଦିଲ୍ଲୀ(ଆମ ଟିଭି): ଏଣିକି ପିଲାଙ୍କ ସାଙ୍ଗିଆ ସ୍ଥିର କରିପାରିବେ ମା’। ବାପାଙ୍କ ମୃତ୍ୟୁ ପରେ ପିଲାଙ୍କ ସାଙ୍ଗିଆ କଣ ରହିବ ସେ ନିଷ୍ପତ୍ତି ମାଙ୍କର। ମା ଅନ୍ୟକୁ ବିବାହ କଲେ ବି ଶିଶୁର ସାଙ୍ଗିଆ ସ୍ଥିର କରିବାର ଅଧିକାର କେବଳ ମା’ ପାଖରେ ହିଁ ରହିବ। ଅର୍ଥାତ୍ ମା’ ହିଁ ପିଲାର ପ୍ରକୃତ ଅଭିଭାବକ । ଦ୍ୱିତୀୟ ବିବାହ କରୁଥିବା ମହିଳାମାନଙ୍କ ସପକ୍ଷରେ ଯାଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ମା’କୁ ନିଜ ପିଲାର ସାଙ୍ଗିଆ ବଦଳାଇବା ଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମକୁ କେବଳ ‘ସାବତ ପିତା’ ଭାବରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆନ୍ଧ୍ର ହାଇକୋର୍ଟ । ହେଲେ ଏପରି ନିର୍ଦ୍ଦେଶ ନିଷ୍ଠୁର ଏବଂ ଅଜ୍ଞତାକୁ ଚିତ୍ରିତ କରୁଛି ବୋଲି କହିଛନ୍ତି କୋର୍ଟ।
ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ପୁନର୍ବିବାହ କରିଥିବା ମା’ ଏବଂ ଶିଶୁର ସାଙ୍ଗିଆ ସମ୍ପର୍କିତ ଏକ ମାମଲାର ଗୁରୁବାର ଶୁଣାଣି କରିଥିଲେ କୋର୍ଟ। କୋର୍ଟଙ୍କ ଅନୁସାରେ ପିଲା ପାଇଁ ନାମ ତଥା ତା’ର ସାଙ୍ଗିଆ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ନାମରୁ ହିଁ ପିଲାକୁ ପରିଚୟ ମିଳିଥାଏ । ସାବତ ବାପା କଥା ଜେଣିଲେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସ ପ୍ରଭାବିତ ହେବ। ବାପାମା’ଙ୍କ ସହ ତା’ର ସମ୍ପର୍କରେ ମଧ୍ୟ ବାଧା ଉପୁଜିବ । ପିଲାଟିକୁ ସାଧାରଣ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ । ତେଣୁ ଏପରି ସ୍ଥଳେ ପିଲାର ସାର୍ଟିଫିକେଟରେ ସାବତ ବାପା ନୁହେଁ ବରଂ ବାପା ଲେଖାଯିବା ଉଚିତ୍।
ପିଲାର ଏକମାତ୍ର ପ୍ରକୃତ ଅଭିଭାବକ ମା’ । ତେଣୁ ପିଲାର ଉପନାମ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି । କୋର୍ଟ ଏଥିରେ ହସ୍ତକ୍ଷେପ କରିବାର କ୍ଷମତା ରଖିପାରନ୍ତି। କିନ୍ତୁ ଯେତେବେଳେ ନିର୍ଦ୍ଦିଷ୍ଟ ଆବେଦନ କରାଯାଇଥାଏ, ସେତେବେଳେ ଏପରି ମାମଲା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଦୋହରାଇଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ ।