ଇସଲାମାବାଦ (ଆମ ଟିଭି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଇମ୍ରାନ୍ ଖାନ୍ ଙ୍କୁ ଗିରଫ କରିବା ପାଇଁ ଆଜି ଜମନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବ ଇସ୍ଲାମାବାଦ୍ ପୁଲିସ। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଇସଲାମାବାଦର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କୁ ଜେଲ୍ ପଠାଇବା ପାଇଁ ଇସଲାମାବାଦରୁ ଏକ ପୁଲିସ ଟିମ୍ ହେଲିକପ୍ଟର ଯୋଗେ ଲାହୋରରେ ପହଞ୍ଚିଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇସ୍ଲାମାବାଦ ଏବଂ ଲାହୋରର ପୁଲିସ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦରୁ ପୋଲିସ ଦ୍ୱିତୀୟ ଥର ପାଇଁ ଲାହୋରରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ପୁଲିସ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ , ଇସ୍ଲାମାବାଦ ପୁଲିସକୁ ସବୁ ପ୍ରକାର ସହଯୋଗ କରାଯିବ। ପୁଲିସ ଯେପରି ବିନା ବାଧାରେ ଇମ୍ରାନ୍ ଖାନ୍ ଙ୍କ ଜମାନ୍ ପାର୍କ ଘରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରାଯିବ। ତେବେ ଜମାନ ପାର୍କ ଯିବା ପୂର୍ବରୁ ଇସଲାମାବାଦ ପୁଲିସ ଇମ୍ରାନ ଖାନଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବ । ଅଗଷ୍ଟ ୨୦ ରେ ଏଫ୍ -୯ ପାର୍କରେ ଏକ ରାଲିରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜେବା ଚୌଧୁରୀ ଏବଂ ପୋଲିସ ଅଧିକାରୀମାନଙ୍କୁ ଆତଙ୍କିତ କରିବାକୁ ଧମକ ଦେବା ଅଭିଯୋଗରେ ଇମ୍ରାନ୍ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।