ବାଲେଶ୍ୱର(ଆମ ଟିଭି): ପୁଣି ଗୁଡ଼ି ସୂତା ଲାଗି ଗୁରୁତର । ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ ଗୁଡ଼ି ସୂତା ଲାଗି ଏକ ୭ବର୍ଷର ଶିଶୁର ବେକ କଟିଯାଇଛି। ଶିଶୁଟି ତାଙ୍କ ବାପାଙ୍କ ସହିତ ବାଇକ୍ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ଶିଶୁଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଯେ, ବୁଧବାର ଅପରାହ୍ନ ୩ଟା ୩୦ ମିନିଟ୍ରେ ଶିଶୁ ଜଣକ ନିଜ ବାପା ଶଶିକାନ୍ତ ମହାଲଙ୍କ ସହ ପୀଉସା ଘର ମଲ୍ଲିସସାରୁ ନିଜ ଗାଁ ଦୁମୁଦାକୁ ଫେରୁଥିଲେ। ପିଲାଟି ବାଇକ ଆଗରେ ବସିଥିବା ବେଳେ ଗୁଡ଼ି ସୂତା ଆସି ଲାଗିଯାଇଥିଲା। ଫଳରେ ଶିଶୁଟି ଗୁରୁତର ହୋଇପଡିଥିଲା। ଶିଶୁଟିର ଅବସ୍ଥା ଉଦ୍ବେଗଜନକ ଥିବା ଜଣାପଡିଛି।
ସେହିପରି ମୋତିଗଞ୍ଜ ବଜାର ଅଞ୍ଚଳର ହରେନ୍ଦ୍ର ପ୍ରଧାନ ବାଇକ୍ରେ ଯାଉଥିବା ବେଳେ ଗୁଡି ସୂତା ତାଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଫଳରେ ତାଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।