ମେଗା ଫାଇନାଲରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମହାମୁକାବିଲା, କିଏ ହାତେଇବ ଟାଇଟଲ IPL-2022 ?
ଅହମ୍ମଦାବାଦ ( ଆମ ଟିଭି ) : ଚଳିତ ଆଇପିଏଲର ଆଜି ମେଗା ଫାଇନାଲ। ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ମହାମୁକାବିଲା ହେବ। ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ଆଜି ଏହି ଲଢେଇ ହେବାକୁ ଯାଉଛି । ପ୍ରଥମ ପାଳିରେ ଆଇପିଏଲ୍ ଚାମ୍ପିଅନ୍ ହେବାକୁ ଗୁଜରାଟ ଟାଇଟନ୍ସ ଲକ୍ଷ୍ୟ ରଖିଥିବା ବେଳେ ରାଜସ୍ଥାନ ରୟାଲ୍ସ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଫାଇନାଲ୍ ଖେଳିବାକୁ ଯାଉଛି । ଏଥର ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ରୟାଲ୍ସ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନବ ନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ଲକ୍ଷ ୩୨ ହଜାର ଦର୍ଶକ ଆଜି ଏହି ମ୍ୟାଚ୍ ଉପଭୋଗ କରିବେ । ପ୍ରଥମ କରି ଏତେ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ୍ରେ ଦେଖିବାକୁ ମିଳିବ ।
ଆଜିର ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା ଏକ ପ୍ରକାର ଅସମ୍ଭବ । ଦ୍ୱିତୀୟ କ୍ୱାଲିଫାୟର୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଏକତରଫା ଭାବେ ହରାଇବା ପରେ ରୟାଲ୍ସ ଦଳକୁ ହାଲ୍କା ଭାବିବା ଟାଇଟନ୍ସ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ । ଅବଶ୍ୟ ଲିଗ୍ ଓ ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସ ଉଭୟ ମ୍ୟାଚ୍ ଜିତିଥିଲା । ଫାଇନାଲ୍ ଜିତି ରୟାଲ୍ସ ବିପକ୍ଷରେ ଅପରାଜେୟ ରହିବାକୁ ଟାଇଟନ୍ସ ପ୍ରୟାସ କରିବ ।