ଭାରତର ଏହି ସ୍ଥାନରେ ଅଗଷ୍ଟ ୧୫ ବଦଳରେ ୧୮ରେ ପାଳିତ ହୁଏ ସ୍ବାଧୀନତା ଦିବସ, ଜାଣନ୍ତୁ ଏହା ପଛର କାରଣ?

0

ନୂଆଦିଲ୍ଲୀ (ଆମ ଟିଭି): ଚଳିତ ବର୍ଷ ଦେଶରେ ୭୯ତମ ସ୍ବାଧୀନତା ଦିବସ ଖୁବ୍ ଧୂମଧାମରେ ପାଳନ ହେବାକୁ ଯାଉଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଦେଶରେ ଏପରି ଏମିତି ଏକ ଜିଲ୍ଲା ରହିଛି ଯେଉଁଠି ୧୫ ଅଗଷ୍ଟ ନୁହେଁ ବରଂ ୧୮ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ତେବେ ଜାଣନ୍ତୁ କାହିଁକି ଏହି ସ୍ଥାନରେ ୧୫ ଅଗଷ୍ଟ ପରିବର୍ତ୍ତେ ୧୮ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ।

ସୂଚନା ଅନୁଯାୟୀ, ଅଗଷ୍ଟ ୧୨, ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଭାରତ ସ୍ୱାଧୀନ ହେଲା ବୋଲି ଖବର ଆସିଥିଲା। ଏହା ସହ ଦେଶ ଭାଗ ଭାଗ ହୋଇଯାଇଥିବା ଖବର ମଧ୍ୟ ଲୋକେ ଜାଣିବାକୁ ପାଇଥିଲେ । କିନ୍ତୁ ସେହିସମୟରେ ପଶ୍ଚିମବଙ୍ଗରେ ଥିବା ନଦିଆ ଜିଲ୍ଲାର କିଛି ଭାଗ ପାକିସ୍ତାନରେ ସାମିଲ ହୋଇଥିବା ଘୋଷଣା କରାଯାଇଥିଲା। ଯାହା ପରେ ଏ ନେଇ ବିଦ୍ରୋହ ଆରମ୍ଭ ହୋଇଥିଲା । ପଶ୍ଚିମ ବଙ୍ଗଳାର ନଦିଆ ଜିଲ୍ଲାକୁ ନେଇ ପ୍ରଶାସନିକ ତ୍ରୁଟି ରହିଥିଲା।

ଏହି ଭୁଲ୍ ଭାରତ ଓ ପାକିସ୍ତାନର ନକ୍ସା ତିଆରି କରିଥିବା ବ୍ରିଟିଶ ଅଫିସର ରେଡକ୍ଲିଫ୍‌ଙ୍କ ଦ୍ୱାରା ହୋଇଥିଲା । ସେ ଭୁଲରେ ନଦିଆ ଜିଲ୍ଲାକୁ ପାକିସ୍ତାନରେ ସାମିଲ କରି ଦେଇଥିଲେ । ଏହିପରିଭାବେ ନଦିଆ ଜିଲ୍ଲାକୁ ପୂର୍ବ ପାକିସ୍ତାନରେ ସାମିଲ କରାଯାଇଥିଲା।
ସୂଚନା ଅନୁଯାୟୀ ଦେଶ ମୁକ୍ତ ହେବା ପୂର୍ବରୁ ନଦିଆରେ ପାଞ୍ଚଟି ସବ-ଡିଭିଜନ ସଦର କୃଷ୍ଣନଗର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ପାକିସ୍ତାନରେ ସାମିଲ କରାଯାଇଥିଲା। ଏହି ଖବର ଶୁଣିବା ପରେ ହିନ୍ଦୁ ଧର୍ମର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଥିଲେ । ଅନ୍ୟପଟେ ମୁସଲିମ୍ ନେତାମାନେ କୃଷ୍ଣାନଗର ପବ୍ଲିକ୍‌ ଲାଇବ୍ରେରୀରେ ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିଲେ । ଏ ସବୁ ଦେଖି ପରିସ୍ଥିତି ଅସମ୍ଭାଳ ହେବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।

ଲୋକଙ୍କ ଆନ୍ଦୋଳନ ଓ ବଢ଼ୁଥିବା ହିଂସା ଦେଖି ତୁରନ୍ତ ରେଡକ୍ଲିଫ୍‌ଙ୍କୁ ନିଜ ଭୁଲରେ ସୁଧାର ଆଣିବାକୁ କୁହାଯାଇଥିଲା । କିଛି ଦିନ ପରେ ଅଗଷ୍ଟ ୧୭ର ମଧ୍ୟରାତ୍ରିରେ ନଦିଆ ଜିଲ୍ଲାର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ଭାରତରେ ସାମିଲ କରାଯାଇଥିଲା । ଯାହା ପରେ ଅଗଷ୍ଟ ୧୮ ତାରିଖରେ କୃଷ୍ଣାନଗର ପବ୍ଲିକ୍‌ ଲାଇବ୍ରେରୀରୁ ପାକିସ୍ତାନ ପତାକା ହଟାଯାଇ ଭାରତର ଜାତୀୟ ପତାକା ଲଗା ଯାଇଥିଲା । ସେହି ଦିନଠାରୁ ନଦିଆର ଲୋକେ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୯୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନଦିଆବାସୀଙ୍କୁ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବାର ଅନୁମତି ମିଳିଥିଲା । ଏହାପରେ ନଦିଆ ବାସୀ ୧୮ ଅଗଷ୍ଟରେ ଖୁବ୍ ଧୂମଧାମରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି।

Leave A Reply

Your email address will not be published.