ଭୁବନେଶ୍ୱର (ଆମ ଟିଭି): ଉତ୍କଳ ବିଲଡର୍ସରେ ବଡ଼ ଧରଣର ଠକେଇ ଅଭିଯୋଗରେ ଚାରି ଦିନ ଧରି ଚାଲିଛି ଆୟକର ଚଢ଼ାଉ। ଉତ୍କଳ ବିଲଡର୍ସର ଭୁବନେଶ୍ବରରେ ଥିବା ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ନଗଦ ଅଢେଇ କୋଟି ଟଙ୍କା ଜବତ ହୋଇଥିବା ଜଣାପଡିଛି। ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି ସକାଳୁ ସକାଳୁ ମାରାଥନ୍ ଜେରା କରାଯାଉଥିବା ସୂଚନା ମିଳିଛି। ସଂସ୍ଥାର ନିର୍ଦ୍ଦେଶକ ପ୍ରକାଶ ଭୁରା ଓ ତାଙ୍କ ଭାଇ ରାକେଶ ଭୁରା, ଶରଦ ବୈଦ ଓ ତାଙ୍କ ଭାଇ ସନ୍ଦୀପ ବୈଦଙ୍କ ସହ ଆକାଉଣ୍ଟାଣ୍ଟ ପ୍ରସନ୍ନ ବେହେରାଙ୍କୁ ମୁହାଁମୁହିଁ ଜେରା କରାଯାଇଛି। ଆୟକର ଫାଙ୍କିବା ନେଇ IT ଟିମ୍ ଯଥେଷ୍ଟ ପ୍ରମାଣ ପାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ; ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ମଙ୍ଗଳବାର ଠାରୁ ଉତ୍କଳ ବିଲ୍ଡର୍ସରେ ଚଢାଉ ଜାରି ରହିଛି। ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆୟକର ବିଭାଗ। ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ୧୪ଟି ଟିମ୍ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଆଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିଭିନ୍ନ କାର୍ଯ୍ୟାଳୟରୁ ବସ୍ତା ବସ୍ତା ଜାଲ୍ କାଗଜପତ୍ର ଜବତ କରାଯାଇଥିଲା। କାଗଜପତ୍ରଗୁଡ଼ିକ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସଂସ୍ଥା ଆୟକର ଫାଙ୍କିବା ପାଇଁ ଏହି ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲା।