ଜାରି ହେଲା ଭାରତ ଓ ପାକିସ୍ତାନ ମ୍ୟାଚ୍ କ୍ୟାଲେଣ୍ଡର
ନୂଆଦିଲ୍ଲୀ: ପୁଣିଥରେ ମଲ୍ଟିନେଶନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ଏସିଆ କପର ପ୍ରଥମ ଗ୍ରୁପରେ ଭାରତ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି।
ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ୨୦୨୩ ଓ ୨୦୨୪ ବର୍ଷ ପାଇଁ ମ୍ୟାଚ୍ କ୍ୟାଲେଣ୍ଡର ଜାରି କରିଛି। ଏଥିରେ ଏସିଆ କପ ବେଳେ କେଉଁ ଦେଶ କେଉଁ ଗ୍ରୁପ୍ରେ ରହିବେ, ତା’ର ତଥ୍ୟ ମଧ୍ୟ ସାର୍ବଜନୀନ ହୋଇଛି। ଏହି ଘୋଷଣା ଅନୁସାରେ ଏସିଆ କପର ଗୋଟିଏ ଗ୍ରୁପ୍ରେ ଭାରତ ଓ ପାକିସ୍ତାନ ରହିଛନ୍ତି
ଏସିସି ସଭାପତି ତଥା ବିସିସିଆଇର ସମ୍ପାଦକ ଜୟ ଶାହ ଆଜି କାଉନସିଲର ୨୦୨୩ ଓ ୨୦୨୪ ବର୍ଷ ପାଇଁ କ୍ରିକେଟ କ୍ୟାଲେଣ୍ଡର ସାର୍ବଜନୀନ କରିଛନ୍ତି। ଏଥିରେ ପୁରୁଷ ଓ ମହିଳା ଏସିଆ କପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଠାରୁ ବିଭିନ୍ନ ଟ୍ରଫି ସମ୍ପର୍କିତ ସୂଚନା ରହିଛି
ନୂଆ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୩ ବର୍ଷ ପୁରୁଷ ଚ୍ୟାଲେଞ୍ଜର୍ସ କପରୁ ଆରମ୍ଭ ହେବ। ଏହି ୫୦ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଭାଗ ନେବେ। ବାହାରିନ, ସାଉଦି ଆରବ, ଭୁଟାନ, ଚାଇନା, ମିଆଁମାର, ମାଳଦ୍ୱୀପ, ଥାଇଲ୍ୟାଣ୍ଡ ଓ ଇରାନ ଚ୍ୟାଲେଞ୍ଜର୍ସ କପ ଖେଳିବା ନିଶ୍ଚିତ ହୋଇଛି। ବାକି ଦୁଇଟି ଦେଶର ନାଁ ପରବର୍ତ୍ତୀ ଅବସ୍ଥାରେ ଘୋଷଣା ହେବ। ୧୦ ଟିମ ୨ଟି ଗ୍ରୁପ୍ରେ ବିଭିକ୍ତ ହୋଇ ମୋଟ ୨୩ଟି ମ୍ୟାଚ ଖେଳିବେ। ମାର୍ଚ୍ଚ ମାସରେ ପୁରୁଷ ଅଣ୍ଡର ୧୬ ଆଞ୍ଚଳିକ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ୮ଟି ଟିମ ଭାଗ ନେବେ।
ପୁରୁଷ ଚ୍ୟାଲେଞ୍ଜର୍ସ କପର ବିଜେତା ଓ ଉପ ବିଜେତା ଦଳ ୫୦ ଓଭର ବିଶିଷ୍ଟ ପ୍ରିମିୟର କପ ଖେଳିବେ। ଏହି ପ୍ରତିଯୋଗିତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ ଓ ୨୪ଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ୧୦ ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ। ଏହି କପ ଖେଳିବାକୁ ବର୍ତ୍ତମାନ ସୁଦ୍ଧା ୟୁଏଇ, ନେପାଳ, କୁଏତ, କତାର, ଓମାନ, ହଂକଂ, ସିଙ୍ଗାପୁର ଓ ମାଲେସିୟା ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।
ଜୁନ୍ ମାସରେ ମହିଳା ଟି-୨୦ ଇମର୍ଜିଂ ଟିମ୍ସ ଏସିଆ କପ ଅନୁଷ୍ଠିତ ହେବ। ଏଥିରେ ୮ଟି ଟିମ ଭାଗ ନେବେ। ଗୋଟିଏ ଗ୍ରୁପରେ ଭାରତ ଏ, ପାକିସ୍ତାନ ଏ, ଥାଇଲ୍ୟାଣ୍ଡ ଓ ହଂକଂ ରହିବେ। ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା ଏ, ବାଂଲାଦେଶ ଏ, ୟୁଏଇ ଓ ମାଲେସିୟା ରହିଛନ୍ତି।