କାଲି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ
କାଲି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି । ଆଉ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ ବୋଲି ଏହାକୁ କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଅଧିକ କ୍ରେଜ ଏ ମ୍ୟାଚ ପାଇଁ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ଲଢ଼ିବେ ଦୁଇ ପଡ଼ୋଶୀ ।
ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିନେଇଥିବା ଭାରତ, ଘରୋଇ ପରିବେଶରେ ପୁଣି ଥରେ ଫେଭରିଟ୍ । ବିଶ୍ୱକପରେ କିଛି ଖେଳାଳୀ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ହେଲେ ପୁରା ଅହମଦାବାଦ କ୍ରିକେଟ ଜ୍ୱରରେ ଆକ୍ରାନ୍ତ । ଏ ମ୍ୟାଚ୍ ପାଇଁ ଦର୍ଶକଙ୍କର ଆଗ୍ରହ ଓ ଉକ୍ରଣ୍ଠା ଏତେ ବଢ଼ିଯାଇଛି, ଶେଷରେ ବିସିସିଆଇ ଆଉ ୧୪ହଜାର ଟିକେଟ ବିକ୍ରି କରିଛି । ଅହମଦାବାଦରେ ଖେଳାଳୀ, ଅଫିସିଆଲ, ଦର୍ଶକ, ଗଣମାଧ୍ୟମ ପ୍ରତିନିଧିଙ୍କ ଏତେ ଭିଡ଼ ଯେ ବିମାନ ଓ ହୋଟେଲ ଭଡ଼ା ପାଖାପାଖି ଦୁଇ ଗୁଣା ବଢ଼ିଯାଇଛି ତଥାପି ରହିବାକ ଜାଗା ନାହିଁ । ଆଉ ଏହି ପରିସ୍ଥିତିରେ କ୍ରିକେଟ ପ୍ରେମୀ ରାତିରେ ରହିବା ପାଇଁ ହସ୍ପିଟାଲର ସାହାରା ନେଉଛନ୍ତି ।