ମାର୍ଚ୍ଚରୁ ଋଷରୁ ତେଲ ଆମଦାନୀ କରିବ ଭାରତ

0

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷରୁ ଭାରତ ଅଧିକ ମାତ୍ରାରେ ଅଶୋଧିତ ତେଲ ଆମଦାନୀ କରୁଛି। ଗତବର୍ଷ ଅକ୍ଟୋବରଠାରୁ ଭାରତ ଅଧିକ ତେଲ ଏହି ଦେଶରୁ ଆଣୁଛି। ଚଳିତବର୍ଷ ମାର୍ଚ୍ଚରେ ରୁଷ ଦିନକୁ ୧.୬୪ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଭାରତକୁ ‌ଯୋଗାଇ ଦେଇଛି। ମାର୍ଚ୍ଚ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲର ୩୩.୯ ପ୍ରତିଶତ ଉକ୍ତ ଦେଶରୁ ଆଣିଛି। ମାର୍ଚ୍ଚରେ ଏହି ଦେଶ ଭାରତକୁ ତେଲ ଯୋଗାଇବାରେ ଯଦିଓ ଶୀର୍ଷରେ ରହିଛି ତଥାପି ଫେବ୍ରୁଆରିରେ ଏଠାରୁ ୩୫ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରିଥିଲା। ରୁଷ ପଛକୁ ସାଉଦି ଆରବରୁ ଭାରତ ଦିନକୁ ୯,୮୬,୨୮୮ ବ୍ୟାରେଲ ଏବଂ ଇରାକରୁ ଦିନକୁ ୮,୨୧୯୫୨ ବ୍ୟାରେଲ ଅଶୋଧିତ ତେଲ ଆମଦାନୀ କରିଛି।

ମସ୍କୋ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇବା ପରେ ୟୁରେସିଆ ଅଞ୍ଚଳର ଦେଶଗୁଡ଼ିକ ଭାରତ ଏବଂ ଚୀନ ଜରିଆରେ ରୁଷ୍‌ ତେଲ କିଣୁଛନ୍ତି। ଋଷରୁ ଅଶୋଧିତ ତେଲ ଆସି ବିଶୋଧିତ ହେବା ପରେ ସେସବୁ ଦେଶକୁ ଏଠାରୁ ରପ୍ତାନି ହେଉଛି। ଚଳିତବର୍ଷ ମାର୍ଚ୍ଚରେ ରୁଷରୁ ଭାରତ ୧.୬୪ ନିୟୁତ ବ୍ୟାରେଲ ତେଲ ଦିନକୁ ଆଣିଥିବାବେଳେ ଗତବର୍ଷ ମାର୍ଚ୍ଚରେ ଦିନକୁ ୬୮,୬୦୦ ବ୍ୟାରେଲ ତେଲ ଆଣିଥିଲା। ତେଲ ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଭର୍ଟେକ୍ସା ପକ୍ଷରୁ ଏହା ଜଣାଯାଇଛି।

ଅନ୍ୟପକ୍ଷରେ ଓପେକ୍‌ ପ୍ଲସ ଦେଶଗୁଡ଼ିକ ତେଲ ଉତ୍ପାଦନ ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ପୂର୍ବ ମାସ ତୁଳନାରେ ଚଳିତମାସରେ ଦିନକୁ ପାଖାପାଖି ୧.୧୬ ନିୟୁତ କମ୍ ତେଲ ଏମାନେ ଉତ୍ପାଦନ କରିବେ। ମେ’ ମାସରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ। ସାଉଦି ଆରବ ଦିନକୁ ୫ ଲକ୍ଷ ବ୍ୟାରେଲ, ଇରାକ ଦିନକୁ ୨ ଲକ୍ଷ ବ୍ୟାରେଲ, ରୁଷ ଦିନକୁ ୫ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ ହ୍ରାସ କରିବ। ଏହାର ପ୍ରଭାବ ଅଶୋଧିତ ତେଲ ଦର ଉପରେ ଆଗାମୀ ଦିନରେ ପଡ଼ିବା ସମ୍ଭାବନା ରହିଛି। ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ ଜରିଆରେ ପୂରଣ କରିଥାଏ।

Leave A Reply

Your email address will not be published.