ସୁଦାନ ହିଂସାରେ ଫସିରହିଛନ୍ତି ଭାରତୀୟ
ନୂଆଦିଲ୍ଲୀ (ଆମ ଟିଭି): ସୁଦାନରେ ଜାରି ରହିଛି ଗୃହଯୁଦ୍ଧ ଓ ହିଂସା । ଯେଉଁଥିରେ ଫସି ରହିଛନ୍ତି କର୍ଣ୍ଣାଟକର ୩୧ ଜଣ ଆଦିବାସୀ । ହାକ୍କି ପିକ୍କି ଜନଜାତି ଶ୍ରେଣୀର ପ୍ରାୟ ୩୧ ଜଣ ସୁଦାନରେ ଫସି ରହିଥିବା ବେଳେ ସେମାନଙ୍କ ନିକଟରେ ପର୍ୟ୍ୟାପ୍ତ ଖାଦ୍ୟ ଯୋଗାଣ ନାହିଁ । କର୍ଣ୍ଣାଟକ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ସୁଦାନରେ ଫସିଥିବା ଆଦିବାସୀଙ୍କ ସଂକ୍ରାନ୍ତରେ ବିଦେଶ ବ୍ୟାପାର ମନ୍ତ୍ରାଳୟଙ୍କୁ ଅବଗତ କରାଯାଇଛି ଏବଂ ଏ ଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଉଛି। ସୁଦାନରେ ନାଗରିକମାନଙ୍କୁ ଘରୁ ବାହାରକୁ ବାହାରିବାପାଇଁ ମନା କରାଯାଇଥିବା ବେଳେ ଅର୍ଦ୍ଧାରିକ ଅଂଚଳରେ ସ୍ଥିତି ବିସ୍ଫୋରକ ରହିଛି।
ସୁଦାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରାଯିବା ସହ ଯଥାସମ୍ଭବ ସହାୟତା ଉପଲବ୍ଧ କରାଯାଉଛି। ତେବେ ଉକ୍ତ ପ୍ରସଙ୍ଗରେ କଂଗ୍ରେସ ଆଜି ମୋଦୀ ସରକାରକୁ ସମାଲୋଚନା କରିଛି। ସରକାର ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା କହିଥିବା ବେଳେ ଏହାର ଜବାବରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଲୋକଙ୍କ ଜୀବନ ସଙ୍କଟରେ ଥିବା ବେଳେ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।