ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା ସମ୍ପୂର୍ଣ୍ଣ ଇଣ୍ଡୋନେସିଆ । ସୁମାତ୍ରାରେ ୬.୯ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବେଙ୍କୁଲୁ ୨୧୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଆସିଥିଲା । ଆମେରିକାର ଭୂତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ଭୂମିକମ୍ପ ଆସିଥିବା ସ୍ପଷ୍ଟ କରିଛି । ତେବେ ଏପର୍ୟ୍ୟନ୍ତ ସୁନାମୀ ସତର୍କତା ଜାରି କରାଯାଇନାହିଁ ।
ଇଣ୍ଡିଆନ ଓସେନ ସୁନାମୀ ୱାର୍ଣ୍ଣିଂ ଏଣ୍ଡ ମିଟିଗେସନ ସିଷ୍ଟମର ରିପୋର୍ଟ ଅନୁସାରେ ସୁନାମୀ ଆସିବାର ସମ୍ଭାବନା କମ୍ । ତେବେ ସ୍ଥିତି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ପଡ଼ିଲେ ନୂଆ ବୁଲେଟିନ ଜାରି କରାଯିବ । ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାର ନାମକ ଭୂକମ୍ପ ପ୍ରବଣ ଜୋନରେ ରହୁଥିବାରୁ ଏଠାରେ ନିୟମିତ ଭୂମିକମ୍ପ ଆସିଥାଏ । ଏହାପୂର୍ବରୁ ୧୪ ତାରିଖରେ ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ ଆସିଥିଲା । ସେହିପରି ଏହାର କିଛି ଦିନ ପୂର୍ବରୁ ନେପାଳରେ ବି ଏକ ଭୂମିକମ୍ପ ଆସିଥିଲା ।