ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ: ଭତ୍ତା ବଣ୍ଟନ ବେଳେ ଲାଗୁବ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର
ଭୁବନେଶ୍ୱର(ଆମ ଟିଭି): ଏଣିକି ଭତ୍ତା ବଣ୍ଟନ ବେଳେ ଲାଗୁବ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ବଂଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନର ନିଶ୍ଚତ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ୭୫ତମ ସ୍ୱାଧିନତା ଦିବସ ସମାରୋହ ଓ ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ କରୁଥିବାରୁ ଚଳିତମାସ ଐତିହାସିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ସ୍ୱାଧୀନତା ଦିବସ ସହ ଜନସେବା ଦିବସ ଥିବାରୁ ସମାଜର ଅଭାବୀ(ଆବଶ୍ୟକତା) ବର୍ଗଙ୍କୁ ସାମାଜିକ ସୁରକ୍ଷା ପେନସନ୍ ଯୋଗାଇବାର ଏକ ସୁନ୍ଦର ସୁଯୋଗ ମିଳିଛି । ତେଣୁ ଏହି ଦିନ ସମସ୍ତ ପଂଚାୟତ, ଗାଁ, ୱାର୍ଡ ଅଫିସରେ ଯେଭଳି ନିଶ୍ଚତ ଭାବେ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଭତ୍ତା ବଣ୍ଟନ କରିବାକୁ କୁହାଯାଇଛି । ଏପରିକି ବୃଦ୍ଧ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଏହି ଭତ୍ତା ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଭତ୍ତା ଯେଭଳି ଉକ୍ତ ଦିନ ସମସ୍ତଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ କୁହାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନରକୁ ଭତ୍ତା ବଂଟନ ସ୍ଥଳୀରେ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟାନରରେ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ମଧ୍ୟ ରଖିବାକୁ କୁହାଯାଇଛି । ଯେଉଁମାନେ ନୂଆ କରି ହିତାଧିକାରୀ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଦିନ ଭତ୍ତା ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ବଂଟାର ଭଲ ଫଟୋ ବିଭାଗର ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।