ସଉଦି ଆରବ ଉପରେ ଆକ୍ରମଣ କରିବାକୁ ଇରାନର ପ୍ରସ୍ତୁତି
ରିୟାଦ: ସାଉଦି ଆରବ ଆମେରିକାକୁ ଚେତାବନୀ ଦେଇଛି ଯେ ଇରାନ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଇରାନ ପକ୍ଷରୁ ଗୁପ୍ତ ସୂଚନା ସେୟାର କରାଯିବା ପରେ ଆମେରିକାର ଗଲ୍ଫ ଦେଶରେ ନିୟୋଜିତ ନିଜର ସେନାବାହିନୀକୁ ସତର୍କ କରିଛି। ଏହି ଗୁଇନ୍ଦା ରିପୋର୍ଟ ସମ୍ପର୍କରେ ଆମେରିକା ଓ ସାଉଦି ଆରବ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ଅଧିକାରୀ କହିଛନ୍ତି ଯେ ଗୁଇନ୍ଦା ଇନପୁଟ ପରେ ସାଉଦି ଆରବ, ଆମେରିକା ଏବଂ ଅନ୍ୟାନ୍ୟ ପଡୋଶୀ ଦେଶ ସେମାନଙ୍କ ସେନା ବାହିନୀ ପାଇଁ ସତର୍କତା ବଢାଇ ଦେଇଛନ୍ତି।
ପେଣ୍ଟାଗନର ପ୍ରେସ୍ ସଚିବ, ବ୍ରିଗେଡିୟର ଜେନେରାଲ ପ୍ୟାଟ୍ ରାଇଡର୍ସ ସାଉଦି ଆରବ ପକ୍ଷରୁ ସେୟାର କରାଯାଇଥିବା ଗୁଇନ୍ଦା ରିପୋର୍ଟ ବିଷୟରେ କହିଛନ୍ତି, ଆମେରିକା ସେନା ଅଧିକାରୀ ଘାଟିରେ ବିପଦଜନକ ସ୍ଥିତି ବିଷୟରେ ଚିନ୍ତା କରୁଛନ୍ତି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଖୁବ୍ ଶୀଘ୍ର କିମ୍ବା ଆଗାମୀ ୪୮ ଘଣ୍ଟା ଭିତରେ ସାଉଦି ଆରବରେ ବଡ ଧରଣର ଆକ୍ରମଣ ହୋଇପାରେ। ରାଇଡର କହିଛନ୍ତି, ଆମେ ନିଜର ନିଜର ପାର୍ଟନରଙ୍କ ସହିତ ନିୟମିତ ସମ୍ପର୍କରେ ରହିଛୁ। ଏ ବିଷୟରେ ଜରୁରୀ ସୂଚନା ତାଙ୍କ ସହିତ ସେୟାର କରିଛି। ଆମେ ପୂର୍ବରୁ କହିଥିଲୁ ଓ ଏହାକୁ ଦୋହରାଇବୁ, ତାହା ଏହା ଯେ, ଆମକୁ ନିଜର ସୁରକ୍ଷାର ଅଧିକାର ରହିଛି। ଆମର ସେନା ଇରାକରେ ଥାଆନ୍ତୁ କିମ୍ବା ଅନ୍ୟ କେଉଁଠି ସେବା କରୁଥାନ୍ତୁ, ଆକ୍ରମଣ ଯଦି ହୁଏ ତେବେ ତା’ର କଡା ଜବାବ୍ ଦିଆଯିବ।’
ସାଉଦି ଆରବ ପକ୍ଷରୁ ଗୁଇନ୍ଦା ସୂଚନା ନିଶ୍ଚିତ ହୋଇଛି। ତେବେ ଏହି ରିପୋର୍ଟ ସେୟାର କରାଯାଇ ନାହିଁ। ଅଧିକାରୀମାନେ ଏହା କହି ନାହାଁନ୍ତି ପୁରା ରିପୋର୍ଟ କ’ଣ କହୁଛି? ଏହି ସମୟରେ ଇରାନର ଅବସ୍ଥା ଭଲ ନାହିଁ। ଗତ କିଛି ମାସ ହେବ ମହିଳାମାନେ ହିଜାବକୁ ନେଇ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ସମୟରେ ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସାଉଦି ଅଧିକାରୀ କହିଛନ୍ତି ଯେ ଦେଶରେ ଚାଲିଥିବା ବିଶାଳ ପ୍ରଦର୍ଶନରୁ ଧ୍ୟାନ ହଟାଇବା ପାଇଁ ଇରାନ ସାଉଦି ଏବଂ ଇରାକକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବର ଶେଷରେ ଇରାନ ଏକାଧିକ ବାଲାଷ୍ଟିକ୍ ମିସାଇଲ ଓ ଆର୍ମଡ୍ ଡ୍ରୋନ୍ ଜରିଆରେ ଉତ୍ତର ଇରାକ ଉପରେ ଆକ୍ରମଣ କରିଥିଲା। ଏହି ଡ୍ରୋନ୍କୁ ଆମେରିକା ଯୁଦ୍ଧ ବିମାନ ଧ୍ବଂସ କରିବାରେ ସଫଳ ହୋଇଥିଲା, କାରଣ ଏହା ଆରବିଲ୍ ସହର ଆଡକୁ ବଢୁଥିଲା, ଯେଉଁଠି ଆମେରିକା ସେନାର ବେସ୍ ରହିଛି।