ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ଆଜି ୧୫ଦିନରେ ପହଁଚିଛି ଯୁଦ୍ଧ । ଯୁଦ୍ଧ ଯୋଗୁ ଗାଜା ସ୍ଥିତି ଜଟିଳ ହୋଇପଡିଛି । ଲକ୍ଷ ଲକ୍ଷ ଲୋକ ଘର ଛାଡିଥିବା ବେଳେ ଅନେକ ଏବେ ବି ଫଶିରହିଛନ୍ତି । ଆମେରିକାର ଚେତାବନୀ ସତ୍ୱେ ଖୁବଶୀଘ୍ର ଇସ୍ରାଏଲ ଗାଜା ଷ୍ଟ୍ରିପରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି ।
ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇରାନ ଯୁଦ୍ଧରେ ସାମିଲ ହେବ ବୋଲି ଧମକ ଦେଇଛି । ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଉପରେ ଆକ୍ରମଣ ହୋଇଛି । ଲେବାନନ ଉପରେ ଆକ୍ରମଣ ସହ ହମାସର ୧୦୦ ଠିକଣାକୁ ଧ୍ୱଂସ କରିଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧ ଯୋଗୁ ୫ ହଜାରରୁ ଅଧିକ ଜୀବନ ଯାଇଥିବା ସୂଚନା ମଳିଛି ।
ଲମ୍ବା ଯୁଦ୍ଧ ପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବା ବେଳେ ଆଜି ଶାନ୍ତି ସମ୍ମଳିନୀ ଡକାଯାଇଛି । ଆଜି ଇଜିପ୍ଟରେ ଜରୁରୀ ଶାନ୍ତି ସମ୍ମିଳନୀ ଡକାଯାଇଥିବା ନେଇ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଅଲ ସିସି କହିଛନ୍ତି । ଏହି ସମ୍ମିଳନୀରେ ଜାତିସଂଘ ମୁଖ୍ୟ ଏଟୋଂନିଓ ଗୁଟେରେସଙ୍କ ସହ କତାର ,ତୁର୍କୀ, ଗ୍ରୀସ୍, ଜୋର୍ଡାନ, ୟୁଏଇ, ବାହାରିନ, ସାଉଦି ଆରବ, ଇରାନ ଏବଂ ସାଇପରର ନେତା ଉପସ୍ଥିତ ରହିବେ ବୋଲି ସୂଚନା ମଳିଛି ।