ଇସ୍ରାଏଲ ଓ ହମାସ ଯୁଦ୍ଧ: ଆଜିଠୁ ସାମୟିକ ଅସ୍ତ୍ର ବିରତି
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ବୁଧବାର ଇସ୍ରାଏଲ କ୍ୟାବିନେଟ ଅନୁମୋଦନ କରିଥିବା ବୁଝାମଣା ଅନୁଯାୟୀ ଗୁରୁବାର ଠାରୁ ପଣବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ନାଗରିକଙ୍କ ମଧ୍ୟରୁ ୫୦ଜଣଙ୍କୁ ମୁକ୍ତ କରିବେ। ପ୍ରତିବଦଳରେ ଇସ୍ରାଏଲ ଗୁରୁବାର ଠାରୁ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିବ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନଙ୍କ ସୂଚନା ଅନୁଯାୟୀ ହମାସ ଆତଙ୍କବାଦୀମାନେ ପର୍ଯ୍ୟାୟକ୍ରମେ ୫୦ଜଣ ମହିଳା ଓ ଶିଶୁ ପଣବନ୍ଦୀଙ୍କୁ ମୁକ୍ତ କରିବେ। ଗୁରୁବାର ଠାରୁ ଦୈନିକ ୧୨-୧୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବ।
ବୁଝାମଣାରେ ରହିଥିବା ଅନ୍ୟ ସମସ୍ତ ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ। ଯୁଦ୍ଧ ବନ୍ଦ କରିବା ସହିତ ଇସ୍ରାଏଲ ନିକଟରେ ବନ୍ଦୀ ହୋଇ ରହିଥିବା ପଲେଷ୍ଟାଇନ ମହିଳା ଓ ଶିଶୁଙ୍କୁ ମୁକ୍ତ କରାଯିବ। ଇସ୍ରାଏଲ ନିକଟରେ ଏବେ ପ୍ରାୟ ୩୦୦ ପାଲେଷ୍ଟାଇନ ନାଗରିକ ବନ୍ଦୀ ଅଛନ୍ତି। ସେହିପରି ହମାସ ଆତଙ୍କବାଦୀଙ୍କ କବଳରେ ଏବେ ୨୪୦ଜଣ ପଣବନ୍ଦୀ ରହିଛନ୍ତି। ଆଗାମୀ ଦିନରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ଲାଗି ଇସ୍ରାଏଲ ଯୁଦ୍ଧବିରତି ବୁଝାମଣା କରିବ। ଗୋଟିଏ ଦିନ ଯୁଦ୍ଧ ବିରତି ବଦଳରେ ହମାସ ୧୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ।