ଆଜମ ଖାନଙ୍କ ପୁଅକୁ ଝଟକା ,ବିଧାୟକ ପଦ ରଦ୍ଦ
ଲଖନଉ: ସମାଜବାଦୀ ପାର୍ଟିର ଟାଣୁଆ ନେତା ଆଜମ ଖାନଙ୍କୁ ଲାଗିଲା ଝଟକା | ଆଜମଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ଥିବାର ଘୋଷଣା କରିଛି। ସୋମବାର ମୋରାଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ଆଜମ ଖାନ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜମଙ୍କୁ ୧୫ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅବଦୁଲ୍ଲା ଆଜମ ରାମପୁରର ସୁଆର ଆସନରୁ ବିଧାୟକ ଥିଲେ। ସୂଚନା ଥାଉ କି ଯେ ଲୋକ ପ୍ରତିନିଧୀ ଅଧିନିୟମ କହୁଛି ଯେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ଏବଂ ଜେଲରେ ରହିବା ପରେ ଏହି ଅଯୋଗ୍ୟତା ୬ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୨୦୨୨ ରେ ଆଜମ ଖାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା | ଆଉ ଆଜି ପରଠାରୁ ଅବଦୁଲ୍ଲା ଆଜମ ତାଙ୍କ ପିତା ଆଜମ ଖାନଙ୍କ ଭଳି ବିଧାୟକରୁ ବାଦ ପଡିଛନ୍ତି । ସରକାରୀ ଓକିଲ ନିତିନ ଗୁପ୍ତା କହିଛନ୍ତି ଯେ ଅନୁସନ୍ଧାନ ବେଳେ ପୁଲିସ ଆଜମ ଖାନଙ୍କ ସମେତ ନଅ ଜଣଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରିଥିଲା।
ଆଉ ଏହି ମାମଲାରେ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଓ କୋର୍ଟ ସେମାନଙ୍କ ଉପରେ ତିନି ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଏହାକୁ ନେଇ ବିଜେପି ବିଧାୟକ ଆକାଶ ସାକ୍ସେନା କହିଛନ୍ତି ଯେ ଦେଶରେ ଏହା ପ୍ରଥମ ଘଟଣା ଯେଉଁଠାରେ ଜଣେ ବିଧାୟକ ଦୁଇ ଥର ବିଧାୟକ ହେବା ପରେ ଉଭୟ ଥର ତାଙ୍କ ବିଧାୟକ ପଦ ଚାଲିଯାଇଛି |