ଭୁବନେଶ୍ୱର (ଆମ ଟିଭି): ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଓରଫ୍ ଭିକେ ପାଣ୍ଡିଆନ୍ । ରାଜ୍ୟ ପ୍ରଶାସନ ଓ ରାଜନୀତିର ସବୁଠୁ ବିବାଦୀୟ ବ୍ୟକ୍ତିତ୍ବ । ଦିନ ଥିଲା ବିଜେଡି ସରକାରରେ ସୁପର ସିଏମ୍ ସାଜି ରାଜ୍ କରୁଥିଲେ ପାଣ୍ଡିଆନ୍ । ବାବୁଙ୍କ ପାଇଁ ସବୁପ୍ରକାର ଭଣ୍ଡାର ଖୋଲି ଦେଇଥିଲେ ତତ୍କାଳୀନ ବିଜେଡି ସରକାର । ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ବାବୁଙ୍କ ବ୍ରାଣ୍ଡିଂ କରାଯାଇଥିଲା । ଅଭିଯୋଗ ଶୁଣାଣି ନାଁରେ ରାଇଜ ସାରା ହେଲିକେପ୍ଟରରେ ଘିରି ଘିରି ହୋଇ ବୁଲିଥିଲେ ପାଣ୍ଡିଆନ୍ । ନିଜର ପଲିଟିକାଲ ଲଞ୍ଚିଂ ପାଇଁ ହଜାର ହଜାର ଲୋକଙ୍କ ବୁହାଇ କରୁଥିଲେ ସଭା ସମିତି ।
ନେତା ମନ୍ତ୍ରୀଙ୍କୁ ଟେଣ୍ଡ ବନ୍ଧାଇ 6 ମାସରେ 190 ଟି ସ୍ଥାନରେ କରିଥିଲେ ବିରାଟକାୟ ସଭା । ବଡ ବଡ ଇଭେଣ୍ଟ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳିଆ ଟଙ୍କା । ସବୁ ନେତା ଓ ମନ୍ତ୍ରୀମାନେ ବି ମୁହଁ ଖୋଲିପାରୁନଥିଲେ । ସବୁ ଦେଖି ଚୁପ୍ ରହୁଥିଲେ । ବିଜେଡି ସରକାରରେ ପାଣ୍ଡିଆନ୍ ଥିଲେ ସର୍ବେସର୍ବା । ତାଙ୍କ କାର୍ଯ୍ୟକ୍ରମ ପାଇଁ ନେତା ଓ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥିବା ନଜର ମଧ୍ୟ ଆସିଥିଲା ।
ଏପରିକି ନିଜର ବ୍ୟକ୍ତିଗତ କାମ ପାଇଁ ବି ସରକାରୀ ଟଙ୍କାରେ ହେଲିକେପ୍ଟରରେ ବୁଲୁଥିଲେ ପାଣ୍ଡିଆନ୍ । ଯାହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ । ପାଣ୍ଡିଆନ୍ ଙ୍କ ସଭା ସମିତି ଓ ହେଲିକେପ୍ଟର ବୁଲା ପାଇଁ କେଉଁଠୁ ଆସୁଛି ଏତେ ଟଙ୍କା ବୋଲି ପ୍ରଶ୍ନ କରିଥିଲେ ଲୋକେ । କାହିଁକି ପାଣ୍ଡିଆନ୍ ଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ରାଜ୍ୟ ରାଜକୋଷକୁ ଖାଲି କରିଦିଆଯାଉଛି ବୋଲି ଉଠିଥିଲା ପ୍ରଶ୍ନ । ଯାହାକୁ ବିଜେପି ସରକାର ଖୋଲତାଡ ଆରମ୍ଭ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।