ନିର୍ବାଚନ ଲଢିବେ ନାହିଁ ଜଗନମୋହନଙ୍କ ଭଉଣୀ
ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ ୱାଇଏସ୍ ଶର୍ମିଲା ଲଢ଼ିବେ ନାହିଁ।
ତାଙ୍କ ଦଳ ମଧ୍ୟ କୌଣସି ସ୍ଥାନରେ ପ୍ରାର୍ଥୀ ଦେବ ନାହିଁ। ତେଲେଙ୍ଗାନାର ସ୍ୱାର୍ଥ ପାଇଁ ତାଙ୍କ ଦଳ ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବ। କିନ୍ତୁ ନିର୍ବାଚନରେ କ୍ଷମତାସୀନ କେସିଆରଙ୍କୁ ହରାଇବା ପାଇଁ ଶର୍ମିଲା ଆଣ୍ଡ କୋ କଂଗ୍ରେସକୁ ସମର୍ଥନ କରିବେ।
ଶର୍ମିଲା ନିର୍ବାଚନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହେବା ଏକ ପ୍ରକାର ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଥିରେ ରହିଛି ପଲିଟିକାଲ୍ ଷ୍ଟ୍ରାଟେଜି। ଶର୍ମିଲା କହିଛନ୍ତି ଯେ ତାଙ୍କ ଦଳ ଏଥର କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନରେ ଭୋଟ୍ ବିଭାଜନକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଭୋଟ ବିଭାଜନ ହେଲେ କେସିଆରଙ୍କ ଦଳ ବିଆରଏସକୁ ନିର୍ବାଚନରେ ଫାଇଦା ମିଳିବ। ତେଣୁ କେସିଆରଙ୍କୁ ମିଳିବାକୁ ଥିବା ସମ୍ଭାବ୍ୟ ଫାଇଦାକୁ ରୋକିବା ପାଇଁ ୱାଇଏସ୍ଆର ତେଲେଙ୍ଗାନା ନିର୍ବାଚନରେ ଲଢ଼ିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।