ଜୀ ସାର୍ଥକରେ ପୁଣି ଡବଲ ମହା ପ୍ରିମିୟର: ଭଲ ପାଇବା ଓ ବଳିଦାନର ଏକ ଅକୁହା କାହାଣୀ ‘ଲାଗେ ପ୍ରେମ ନଜର’ ଆସନ୍ତା ରବିବାର
ଭୁବନେଶ୍ବର (ଆମ ଟିଭି): ଓଡ଼ିଆ ମନୋରଞ୍ଜନ ଜଗତର ଅଗ୍ରଣୀ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଦର୍ଶକଙ୍କ ପାଇଁ ଭେଟି ଦିଆଯାଉଛି ଏକ ହୃଦୟସ୍ପର୍ଶୀ ପାରିବାରିକ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ଏପ୍ରିଲ୍ ୫ ତାରିଖ ରବିବାର ଦିନ ଦିପହର ୨ଟା ଏବଂ ପୁନର୍ବାର ସନ୍ଧ୍ୟା ୬ଟା ୩୦ ମିନିଟରେ ଏହାର ମେଗା ୱାର୍ଲ୍ଡ ପ୍ରିମିୟର ହେବ।
ଚଳଚ୍ଚିତ୍ରର କାହାଣୀ ଜଣେ ସଫଳ ନିର୍ଦ୍ଦେଶକ ଆକାଶ ଏବଂ ତାଙ୍କ ପତ୍ନୀ ନନ୍ଦିନୀଙ୍କ ସୁନ୍ଦର ସଂସାରକୁ ନେଇ ଗତିଶୀଳ। ମାତ୍ର ସନ୍ଦେହ, ଭୁଲ୍ ବୁଝାମଣା ଏବଂ ଅପ୍ରତ୍ୟାଶିତ ଘଟଣାକ୍ରମ କିପରି ଏକ ହସଖୁସିର ସଂସାରକୁ ଛିନ୍ଭିନ୍ କରିଦିଏ, ତାହା ଏଥିରେ ଦର୍ଶାଯାଇଛି। ମେଘାର ନିଃସ୍ୱାର୍ଥପର ବଳିଦାନ ଏବଂ ନନ୍ଦିନୀ-ଆକାଶଙ୍କ ପୁନର୍ମିଳନ ମଧ୍ୟରେ ଥିବା ସଂଘର୍ଷ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ। ପ୍ରେମ, ପ୍ରତାରଣା ଏବଂ ପରିଶେଷରେ କୃତଜ୍ଞତାର ଏକ ନିଆରା ସମନ୍ୱୟ ହେଉଛି ‘ଲାଗେ ପ୍ରେମ ନଜର’।
ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ରରେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ଅମ୍ଳାନ, ଅଭିନେତ୍ରୀ ପ୍ରିୟା ଚୌଧୁରୀ, ରିୟା ଦେ, ରାଗିଣୀ ସୁତ୍ରଧର ଏବଂ ବିଶେଷ ଭୂମିକାରେ ରାକେଶ ଦେଓ ନଜର ଆସିବେ। ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ ଜିତିଥିବା ଚଳଚ୍ଚିତ୍ରକୁ ଛୋଟ ପରଦାରେ ପ୍ରଥମ ଥର ପାଇଁ ଦେଖିବେ ଜୀ ସାର୍ଥକର ସମସ୍ତ ଦର୍ଶକ ।

ଏହି ଅବସରରେ ସାରା ଭାରତରେ ଥିବା ଓଡ଼ିଆ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇ ଜୀ ସାର୍ଥକର ବିଜିନେସ ହେଡ୍ ଶ୍ରୀ ରାହୁଲ ରାଓ କହିଛନ୍ତି. “ଜୀ ସାର୍ଥକ ସଦାସର୍ବଦା ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି। ‘ଲାଗେ ପ୍ରେମ ନଜର’ କେବଳ ଏକ ସିନେମା ନୁହେଁ, ବରଂ ଏହା ସମ୍ପର୍କର ଏକ ଗଭୀର ପରୀକ୍ଷା। ଓଡ଼ିଶା ଓ ସାରା ଭାରତରେ ରହୁଥିବା ଆମର ପ୍ରିୟ ଓଡ଼ିଆ ଦର୍ଶକମାନେ ନିଜ ପରିବାର ସହ ଏହି ଭାବପୂର୍ଣ୍ଣ ଚଳଚ୍ଚିତ୍ରର ଆନନ୍ଦ ନେବେ ବୋଲି ମୋର ବିଶ୍ୱାସ।”