ନୂଆଦିଲ୍ଲୀ (ଆମ ଟିଭି): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବର୍ତ୍ତମାନ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଏହାରି ଭିତରେ ହେମନ୍ତ ସୋରେନଙ୍କ ପଦ ଯିବ କି ରହିବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଏହାର ନିଷ୍ପତ୍ତି ହୋଇ ସାରିଛି। ହେମନ୍ତ ସୋରେନଙ୍କ ଭାଗ୍ୟ ବନ୍ଦ ଲଫାପାରେ ନିର୍ବାଚନ ଆୟୋଗଙ୍କଠାରୁ ରାଜ୍ୟପାଳଙ୍କ ନିକଟରେ ପହଞ୍ଚି ସାରିଛି। ଏବେ ଶୀଘ୍ର ଏହି ମାମଲାରେ ବଡ ନିଷ୍ପତ୍ତି ଆସିପାରେ। ସୂତ୍ର ଅନୁଯାୟୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ।
ଏହିପରି ଝାଡଖଣ୍ଡର ହେମନ୍ତ ସରକାରଙ୍କ ଉପରେ ବିପଦର କଳାବାଦଲ ଛାଇ ଯାଇଛି। ଯଦି ହେମନ୍ତ ସୋରେନଙ୍କ ବିଧାୟକ ସଦସ୍ୟତା ରଦ୍ଦ ହୁଏ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ। ଏମିତି ସ୍ଥିତିରେ ଝାଡଖଣ୍ଡରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ହେଲେ ନିର୍ବାଚନ ଆୟୋଗଙ୍କ ତରଫରୁ ମାମଲାରେ କିଛି ସ୍ପଷ୍ଟ କରାଯାଇ ନାହିଁ। ରାଜଭବନ ପକ୍ଷରୁ ବି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ତେବେ ଦେଖାଯାଉ ଝାଡ଼ଖଣ୍ଡ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ।