ଦୀପାବଳିରେ ମୁକ୍ତିଲାଭ କରିବ ଝିଲିକଙ୍କ ‘ରୁଦ୍ରାଣୀ’
ଭୁବନେଶ୍ୱର (ଆମ ଟିଭି): ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’। ଦୀପାବଳିରେ ମୁକ୍ତିଲାଭ କରିବ ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା । ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି । ଝିଲିକ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଭଟ୍ଟାଚାର୍ୟ୍ୟ ନଜର ଆସିବେ । ପ୍ରଯୋଜିକା ସହ ମୁଖ୍ୟ ନାୟିକା ଭାବେ ଝିଲିକ ସିନେମାରେ ଆସୁଥିବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି କହିଛନ୍ତି ଝିଲିକ ।

ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’ । ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି । ମୌଳିକ ଓଡିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ସିନେମାରେ । ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ନୂଆ ଅବତାର । ରୁଦ୍ରାଣୀ ଭାବେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା । ମୂରଲୀଙ୍କ ସହ ଝିଲିକ ପୂର୍ବରୁ ‘ଜଗା ହାତରେ ପଘା’ ସିନେମା କରି ସାରିଛନ୍ତି । ସେହି ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିବା ବେଳେ ‘ରୁଦ୍ରାଣୀ’ ମଧ୍ୟ ବେଶ ସଫଳତା ପାଇବ ବୋଲି ପୁରା ଟିମ୍ ଆଶାବାଦୀ । ଏହି ସିନେମା ନିର୍ମାଣ ବେଳେ ଝିଲିକ ଚାରି ମାସର ଗର୍ଭବତୀ ଥିଲେ । ଗର୍ଭବତୀ ଥିବା ବେଳେ ସିନେମା ସୁଟିଂ କରି ପରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଝିଲିକ । ସିନେମାର ନାୟିକା ଭାବେ ଗର୍ଭବତୀ ଥାଇ ବି ତାଙ୍କ ପାଇଁ ସିନେମା ସୁଟିଂରେ କୌଣସି ବିଳମ୍ବ ହୋଇନଥିଲା ।
ସେହିଭଳି ସିନେମାରେ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଇଶ୍ୱର ବାରିକ । ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ । ଚଳଚ୍ଚିତ୍ରର କାର୍ୟ୍ୟକାରୀ ପ୍ରଯୋଜକ ଭାବେ ଦାଇତ୍ୱ ତୁଲାଇଛନ୍ତି ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ । ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ଶର୍ମା (ମଣ୍ଟୁ) , ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି ।