ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହେଲେ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ଜେନା । 

0

୨୦/୦୭/୨୦୨୩(କଟକ): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଓ ସଚେତନତାକୁ ନେଇ ସାମାଜିକ ଗଣମାଧ୍ୟମରେ ଗତ ମଇ ୧ ତାରିଖଠାରୁ ୨୮ ତାରିଖ ମଧ୍ୟରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଚଳଚ୍ଚିତ୍ର, କବିତା, କ୍ଷୁଦ୍ର ଗଳ୍ପ ଓ ଚିତ୍ରକଳା ଭଳି ୪ ଗୋଟି ବିଭାଗ ରଖାଯାଇଥିଲା ।

ଏହି ୪ଟି ବିଭାଗରେ ସାରା ରାଜ୍ୟରୁ ୪ ଜଣ ପ୍ରତିଯୋଗୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।

ଚଳଚ୍ଚିତ୍ର ମଧ୍ୟରୁ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ‘ସପନ’ ଚଳଚ୍ଚିତ୍ର ବିଚାରକମଣ୍ଡଳୀଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଏହି ଚଳଚ୍ଚିତ୍ରରେ ଲୋକମାନଙ୍କ ମଧ୍ୟରେ ଋତୁସ୍ରାବକୁ ନେଇ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଥିଲା । ତେଣୁ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା ଭାବରେ ରାଜ୍ୟ ସରକାରଙ୍କ ତରଫରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ୫୦୦ ଟଙ୍କାରାଶି ପୁରସ୍କାର ରୂପେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପ୍ରଦାନ କାରାଯାଇଅଛି । ସେ ଆହୁରି ଆଗକୁ ଯାଆନ୍ତୁ ଓ ସମାଜରେ ସଚେତନତା ଆଣିବା ପାଇଁ ଏମିତି ଭଲ କାମକରୁଥାଆନ୍ତୁ ବୋଲି ସମସ୍ତ କର୍ମକର୍ତ୍ତା ସାଧୁବାଦ ଜଣାଇଛନ୍ତି

ପ୍ରଦୀପ କୁମାର ଜେନା ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଅନୁଷ୍ଠାନରୁ ସିନେମାଟୋଗ୍ରାଫି ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ୨୦୧୬ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ବିଜେବି ମହାବିଦ୍ୟାଳୟରୁ ସଫଳତାପୂର୍ବକ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ସେ ଦୈନନ୍ଦିନ ଖବର କାଗଜ ‘ସମାଜ’ରେ ସାମ୍ବାଦିକ ଭାବରେ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି । ସମାଜ ପାଇଁ କିଛି କରିବା ଲକ୍ଷ୍ୟ ନେଇ ସେ ଆରମ୍ଭ କରିଥିଲେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ । ତାଙ୍କ ଚଳଚ୍ଚିତ୍ର ମଧ୍ୟରୁ ଚୁମକି, ଶିଖା, ଉମିଦ୍ ଓ ସପନ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ବେଶ୍ ପ୍ରଶଂସା ସାଉଁଟି ପାରିଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଭବିଷ୍ୟତରେ ଓଡିଶା ପାଇଁ ଆହୁରି କିଛି କରି ଦେଖାଇବା ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି ଶ୍ରୀ ଜେନା କହିଛନ୍ତି ।

Leave A Reply

Your email address will not be published.