ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହେବ ଜଙ୍ଗଲ ସଫାରି

0

ଭୁବନେଶ୍ୱର(ଆମ ଟିଭି): ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଙ୍ଗଲ ସଫାରି ହେବ। ପର୍ଯ୍ୟଟକଙ୍କୁ ଜଙ୍ଗଲ ବୁଲିବାର ଅନୁଭୂତି ମିଳିବ। ଅକ୍ଟୋବରରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବା ଅଭୟାରଣ୍ୟରେ ଥିବା ଚିତ୍ରା ହରିଣଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି। ବାଲୁଖଣ୍ଡ ଅଭୟାରଣ୍ୟରେ କେବଳ କୃଷ୍ଣସାର ମୃଗଙ୍କୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସେଠାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା କମିବାରେ ଲାଗିଲା। ସେଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୃଷ୍ଣସାର ମୃଗ ସମେତ ଚିତ୍ରା ହରିଣଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଅକ୍ଟୋବର ସୁଦ୍ଧା ଜଙ୍ଗଲ ସଫାରି ଆରମ୍ଭ ହେବ। ପର୍ଯ୍ୟଟକଙ୍କୁ ଏହା ଏକ ନୂତନ ଅନୁଭୂତି ଯୋଗାଇଦେବ। ପୁରୀକୁ ବହୁତ ପର୍ଯ୍ୟଟକ ଯିବାଆସିବା କରୁଥିବାରୁ ସେମାନେ ଏହି ସଫାରିର ମଜା ନେଇପାରିବେ ବୋଲି ପିସିସିଏଫ୍‌ କହିଛନ୍ତି।

ବନ୍ୟପ୍ରାଣୀ ଅଭୟାରଣ୍ୟ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି। ବଙ୍ଗୋପସାଗର କୂଳରେ ପ୍ରାୟ ୮୭ ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟ ଝାଉଁବଣ ସାଙ୍ଗକୁ କାଜୁ, ଆକାଶିଆ ଆଦି ଗଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦରେ ଶୋଭାବର୍ଦ୍ଧନ କରୁଛି। ଏହାସହ ବନ୍ୟପ୍ରାଣୀଙ୍କ ପାଇଁ ରହିଛି ସୁରକ୍ଷିତ ଆଶ୍ରୟସ୍ଥଳ। ରାଜ୍ୟରେ ଯେଉଁ ଅଳ୍ପ କେତୋଟି ଜାଗାରେ କୃଷ୍ଣସାର ମୃଗଙ୍କୁ ଦେଖିବାକୁ ମିଳୁଥିଲା ତା’ମଧ୍ୟରେ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ୟତମ ଥିଲା। କିନ୍ତୁ ପ୍ରତିକୂଳ ପରିବେଶ, ବନ୍ୟଜନ୍ତୁ ଶିକାର ଓ ସୁରକ୍ଷା ଦେବାରେ ବନ ବିଭାଗର ବିଫଳତା ଯୋଗୁ ୨୦୧୪ରୁ କୃଷ୍ଣସାର ମୃଗଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି। ଏବେ କେବଳ ଚିତ୍ରା ହରିଣଙ୍କ ସହ ବଣଭୁଆ, ଗଧିଆ, ବିଲୁଆ, ନେଉଳ, ଓଧ ଆଦି ବନ୍ୟଜନ୍ତୁ ବସବାସ କରୁଛନ୍ତି। ତେଣୁ ପୁଣି ଥରେ ବାଲୁଖଣ୍ଡ ଅଭୟାରଣ୍ୟକୁ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣର ଆଶ୍ରୟସ୍ଥଳୀ କରିବାକୁ ବନ ବିଭାଗ ପଦକ୍ଷେପ ନେଇଛି।

Leave A Reply

Your email address will not be published.