ନୂଆଦିଲ୍ଲୀ(ଆମ ଟିଭି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି କର୍ଣ୍ଣାଟକ ରାଜନୀତି । ଏହାରି ଭିତରେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଦିନ ସାଢେ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ତେବେ ତାରିଖ ଘୋଷଣା କରିବା ପରେ ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣବିଧି ଲାଗୁ ହେବ । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମେ ୨୪ ତାରିଖରେ କ୍ଷମତାରେ ଥିବା ବାସବରାଜ ବୋମାଇ ସରକାରଙ୍କ କାର୍ୟ୍ୟକାଳ ସରୁଛି । ଏହାପୂର୍ବରୁ ରାଜ୍ୟରେ ନିର୍ବାଚନ ହେବା ଜରୁରୀ, ତେଣୁ ୨୨୪ ଆସନରେ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରର ଉତଥାନ ପତନ ଦେଖିସାରିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ହାସଲ କରିପାରିନଥିଲେ । ମୋଟ ୨୨୪ ଆସନ ମଧ୍ୟରୁ ବିଜେପି ୧୦୪ ଆସନ ପାଇଥିଲା ବେଳେ କଂଗ୍ରେସ ୮୦ ଓ ଜେଡିଏସ ୩୭ ଆସନରେ ବିଜୟୀ ହୋଇଥିଲେ । ବିଜେପି ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦିୟୁରପ୍ପା ଶପଥ ନେଇଥିଲେ । ହେଲେ ଦୁଇ ଦିନ ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରି ସେ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ ।