ପୁରୀ (ଆମ ଟିଭି): ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି। କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ।ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ,ପଞ୍ଚୁକ ବେଶ,ବାଳଧୂପ,ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ୟ୍ୟନ୍ତ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ।ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି।
ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ।ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ।ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ।କର୍ଣ୍ଣ ଦେଶରେ କୁଣ୍ଡଳ,କଟିତଟରେ ଓଡିଆଣୀ,ମସ୍ତକରେ ତଡଗୀ,ଚନ୍ଦ୍ର,ସୂର୍ୟ୍ୟ ଓ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି।ଶ୍ରୀବିଗ୍ରହମାନଙ୍କ ରାଧା ଦାମୋଦର ବେଶ ଥାଇ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ।