କେଜ୍ରିୱାଲଙ୍କୁ ମିଳିପାରେ ଆଶ୍ୱସ୍ତି !

0

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ସେମାନେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ ମେ’ ୭ ତାରିଖରେ କରିବେ। ସେହିଦିନ ଦୁଇ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବେ। ଏଥିପାଇଁ ଇଡି ଓ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରସ୍ତୁତ ହୋଇ ଆସିବାକୁ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, କେଜ୍ରିୱାଲ ଇଡିର ଗିରଫଦାରୀ ଓ ତାଙ୍କୁ ରିମାଣ୍ଡରେ ନେବା ବିରୋଧରେ ଆବେଦନ କରିଛନ୍ତି। ଏହି ମୁଖ୍ୟ ମାମଲା ଉପରେ ଶୁଣାଣି ଅଧିକ ସମୟ ଲାଗିପାରେ। ଯଦି ମୁଖ୍ୟ ମାମଲାର ଶୁଣାଣି ଅଧିକ ସମୟ ଲାଗିବ, ତା’ହେଲେ ଆମେ ମଙ୍ଗଳବାର ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିପାରୁ। ଏଥିପାଇଁ ଇଡି ଓକିଲ ପ୍ରସ୍ତୁତ ହୋଇ ଆସନ୍ତୁ।

ଏବେ ଦେଶରେ ନିର୍ବାଚନ ପର୍ବ ଚାଲିଛି। ତେଣୁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ଉପରେ ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଏହାର ଅର୍ଥ ସମ୍ଭବତଃ କେଜ୍ରିୱାଲଙ୍କୁ ଆସନ୍ତା ୭ ତାରିଖରେ ଜାମିନ ମିଳିପାରେ।

Leave A Reply

Your email address will not be published.