ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାରଙ୍କ ସଙ୍କଟ ବଢିବାରେ ଲାଗିଛି । ଗୋଟେପଟେ ଇଡି ଓ ସିବିଆଇ ଘନ ଘନ ଆପ୍ ନେତାଙ୍କ ଘରେ ରେଡ କରୁଥିବା ବେଳେ ଅନ୍ୟପଟେ କେଜ୍ରିୱାଲ ସରକାରଙ୍କ ଚିନ୍ତା ବଢାଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ । ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନା କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଇଛନ୍ତି । ସଦ୍ୟ ସୂଚନା ମୁତାବକ ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ କିଣା ମାମଲାରେ ସବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ଅନୁମତି ଦେିଛନ୍ତି । ଚଳିତ ବର୍ଷ ଜୁନ ମାସରେ ସକସେନାଙ୍କୁ ସମ୍ବୋଧିତ ଏକ ଅଭିଯୋଗରେ ଦାବି କରାଯାଇଥିଲା ଯେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପରିବହନ ମନ୍ତ୍ରୀଙ୍କ ପୂର୍ବ ଯୋଜନାବଦ୍ଧ ଢଙ୍ଗରେ ଟେଣ୍ଡର ଏବଂ ବସ୍ କ୍ରୟ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ।
ଏନେଇ ଉପ ରାଜ୍ୟପାଳଙ୍କୁ ଜୂୁନ ୦୯ ତାରିଖରେ ଏକ ଅଭିଯୋଗ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା କି, ପରିବହନ ମନ୍ତ୍ରୀଙ୍କ ଯୋଜନାବଦ୍ଧ ଭାବେ ଏହି ବସ୍ ଟେଣ୍ଡରିଂ ଓ କ୍ରୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହି ବସ କିଣାରେ ଦୁର୍ନୀତି କରିବା ଉର୍ଦ୍ଦେଶ୍ୟରେ ଡିଆଇଏମଟିଏସକୁ ନିଲାମୀ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା ଏବଂ ଜୁଲାଇ ୨୦୧୯ ରେ ୧ ହଜାର ସିଏନଜି ବସ କ୍ରୟ ଏବଂ ମାର୍ଚ୍ଚ ୨୦୨୦ ରେ ବାର୍ଷିକ ରକ୍ଷଣା ବେକ୍ଷଣ ଚୁକ୍ତି ପାଇଁ ବିଡ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।