ନୂଆଦିଲ୍ଲୀ(ଆମ ଟିଭି): ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିଲ୍ଲୀ ସିବିଆଇ ଅଫିସରେ ହାଜର ହୋଇଛନ୍ତି । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହୋଇଛନ୍ତି । ସିବିଆଇର ନୋଟିସକୁ ବିରୋଧ କରି ଆପ୍ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସିସୋଦିଆଙ୍କ ଘର ଆଗରେ ଏକାଠି ହୋଇଥିଲେ ଶହ ଶହ ସମର୍ଥକ । ଘରୁ ବାହାରି ସିସୋଦିଆ ସମର୍ଥକଙ୍କ ସହ ରାଲି କରି ରାଜଘାଟ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସିବିଆଇ କାର୍ୟ୍ୟାଳୟ ଅଭିମୁଖେ ଯାଇଛନ୍ତି । ସିସୋଦିଆ କହିଛନ୍ତି ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ।
ଜେଲ ଯିବା ପାଇଁ ତାଙ୍କର ଭୟ ନାହିଁ । ମିଛ ମାମଲାରେ ଜେଲ ଯିବା କିଛି ନୂଆ କଥା ନୁହଁ । କିଛି ଦିନ ଜେଲରେ ରହିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସିସୋଦିଆ । ବିଜେପକୁ ରାହୁଲ ଗାନ୍ଧୀ ନୁହେଁ କେଜରିୱାଲ ଭୟ ଘାରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଟଙ୍କାଟିଏର ବି ଦୁର୍ନୀତି କରିନାହାଁନ୍ତି । ସିବିଆଇ ୧୪ ଘଣ୍ଟା ରେଡ କରିବା ପରେ ବି କିଛି ପ୍ରମାଣ ପାଇନଥିଲା । ଏବେ କିନ୍ତୁ ମିଛରେ ତାଙ୍କୁ ବଦନାମ କରିବାକୁ ଏଭଳି କରାଯାଉଥିବା ଆପ୍ ଅଭିଯୋଗ କରିଛି । ସିସୋସିଆଙ୍କୁ ଗିରଫ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରୀୱାଲ । ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ ।