ନୂଆଦିଲ୍ଲୀ (ଆମ ଟିଭି): ବଦଳିଲା ଶସ୍ତା ବିଜୁଳିର ନିୟମ । ଯେଉଁମାନେ ଶସ୍ତା ବିଜୁଳି ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣିକି ମାଗିଲେ ହିଁ ମିଳିବ ଶସ୍ତା ବିଜୁଳି। ବିନା ଆବେଦନରେ ସବ୍ସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା। ଏଭଳି କିଛି ଆଜି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଲି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏବେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ। ଏନେଇ ଆଜିଠାରୁ ଆବେଦନ ଆରମ୍ଭ ହେବ ବୋଲି କୁହାଯାଇଛି। କି କିଛି ଲୋକ ମାଗଣା ବିଜୁଳି ନେବାକୁ ମନା କରିଛନ୍ତି। ତେଣୁ ସରକାରଙ୍କ ନିଷ୍ପତ୍ତି ମୁତାବକ ଯେଉଁ ଉପଭୋକ୍ତାମାନେ ମାଗଣା ବିଜୁଳି ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି।
ବର୍ତ୍ତମାନ ପ୍ରାୟ ୪୭,୧୧,୧୭୬ ପରିବାର ବିଦ୍ୟୁତ ସବସିଡିର ଲାଭ ପାଇଛନ୍ତି। ବର୍ତ୍ତମାନ ସମସ୍ତ ଉପଭୋକ୍ତାଙ୍କୁ ସବସିଡି ଛାଡିବା କିମ୍ବା ଅକ୍ଟୋବର ୧ରୁ ମାଗଣା ବିଦ୍ୟୁତ୍ ପାଇବାକୁ ବିକଳ୍ପ ଦିଆଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘୨୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଦ୍ୟୁତ୍ ଅଛି। ୨୦୦ରୁ ୪୦୦ ୟୁନିଟ୍ ପର୍ୟ୍ୟନ୍ତ ଅଧା ବିଲ୍ ଅଛି। ଆମେ ବିଜୁଳି ବିଲ୍ ଦେଇପାରିବୁ, କାହିଁକି ସବ୍ସିଡି ଦିଆଯାଉଛି ବୋଲି କିଛି ଲୋକ ଦାବି କରିଥିଲେ। ତେଣୁ ବିକଳ୍ପ ବ୍ୟବସ୍ଥା ଭାବେ ଏହା କରାଯାଇଥିବା ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।