ନୂଆଦିଲ୍ଲୀ (ଆମ ଟିଭି): ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । କେଜ୍ରିୱାଲ ସରକାରଙ୍କ ଉପରେ ଆସିଥିବା ସଙ୍କଟକୁ ନେଇ ବିଜେପି ଉପରେ ସାଙ୍ଘାତିକ ଅରୋପ ଲଗାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, ବିଜେପି ଭାରତ ସରକାରଙ୍କର ଏକ ସିରିୟଲ କିଲର । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିଭିନ୍ନ ରାଜ୍ୟ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ପ୍ରୟାସ କରୁଛି । ପୂର୍ବରୁ ବିଜେପି ଗୋଆ, କର୍ଣ୍ଣାଟକ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ, ବିହାରରେ ଷଡ଼ଯନ୍ତ୍ର କରି କ୍ଷମତା ହାତେଇଥିଲା । ଦିଲ୍ଲୀ ଉପରେ ମଧ୍ୟ ବିଜେପିର ଆଖି ରହିଛି । ବିଧାନସଭାରେ ଭାଷଣ ଦେବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି ।
କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି, ବିଜେପି ଜିଏସଟି ଓ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି କରି ପ୍ରଚୁର ଅର୍ଥ ସଂଗ୍ରହ କରୁଛି । ତୈଳ ଦର ଗତ କିଛି ମାସ ମଧ୍ୟରେ ୧୦୦ ଟଙ୍କା ଟପିଛି । ଗତ ୯୬ ଦିନ ଧରି ଦେଶରେ ଇନ୍ଧନ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଏକ ହିସାବ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ବିଜେପିକୁ ୨୭୭ ଜଣ ବିଧାୟକ ଆସିଛନ୍ତି । ଯଦି ଜଣଙ୍କୁ ସେମାନେ ୨୦ କୋଟି ଟଙ୍କା ଲେଖାଏଁ ଦେଇଥିବେ ତେବେ ଏପରି ଭାବେ ମୋଟ ୫,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ଏହାଛଡ଼ା ଦିଲ୍ଲୀର ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮ ଶହ କୋଟି ଟଙ୍କା ରଖିଛି ।